ବ୍ଳକ ସମ୍ମୁଖରେ ଧାରଣା ଦେଲେ ଗଣିଆ ପଞ୍ଚାୟତ ସମିତି ସଭ୍ୟ
ଗଣିଆ – ଗଣିଆ ପଞ୍ଚାୟତ ଅନ୍ତର୍ଗତ ତେଲିସାହି ୫ନ° ଓ୍ବାର୍ଡର ପଛପାଖ ଡ୍ରେନ ନିର୍ମାଣ ନିମନ୍ତେ ୨୦୨୪/୨୫ ଆର୍ଥିକ ବର୍ଷରେ ସିଏଫସି ପାଣ୍ଠିରୁ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ୫ନ° ଓ୍ବାର୍ଡରେ କାର୍ଯ୍ୟ ନହୋଇ ବିଲ୍ ପଇଠ କରାଯାଇଥିବା ସମିତି ସଭ୍ୟ ଅଭିଯୋଗ କରିଛନ୍ତିି । ଏପରିକି ଉକ୍ତ ବିଲ୍ ଫର୍ମରେ ୭୪ ହଜାର ୨୩୬ ଟଙ୍କା ବିଲ୍ ପଇଠ କରାଯାଇଥିବା ସେ ଅଭିଯୋଗ କରିଛନ୍ତିି । ଗତ ୨୮ ତାରିଖରେ ସେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ,ଗଣିଆ ବିଡ଼ିଓଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପତ୍ରରେ ସେ ୫ନ° ଓ୍ବାର୍ଡ ଡ୍ରେନ କାର୍ଯ୍ୟର କାର୍ଯ୍ୟାଦେଶ ସହିତ ବିଲ୍ ଫର୍ମର ନକଲ, ବିଲରେ ବ୍ୟବହାର କରାଯାଇଥିବା ଫଟୋ ଆଦି ସଂଲଗ୍ନ କରିଛନ୍ତି । ଯଦି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ଧାରଣା ଦେବେ ବୋଲି ଅଭିଯୋଗରେ ଦର୍ଶାଇଥିଲେ । ତେବେ ଆଜି ୧୦ ଘଟିକା ସମୟରେ ସେ ବ୍ଳକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଯଦି ଜଣେ ଲୋକପ୍ରତିନିଧି ଦେଇଥିବା ଅଭିଯୋଗର ତଦନ୍ତ ହୋଇପାରୁନାହିଁ ତେବେ ସାଧାରଣ ଲୋକଙ୍କ ସମସ୍ୟା କିଭଳି ସମାଧାନ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଭେଟି ସେ ଅଭିଯୋଗ କରିଥିଲେ ମଧ୍ୟ କାହା ଚାପରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଚୁପ୍ ଅଛନ୍ତି ତାହା ଏବେ ଆଲୋଚନାର ବିଷୟ ପାଲଟିଛି । କାର୍ଯ୍ୟ ନହୋଇ,ଫଳକ ନିର୍ମାଣ ନହୋଇ କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ କିଭଳି ବିଲ୍ ଫର୍ମରେ ୭୪ ହଜାର ୨୩୬ ଟଙ୍କାର ବିଲ୍ ପ୍ରସ୍ତୁତ କଲେ । ଜିଲ୍ଲାପାଳ କାହିଁକି ଉକ୍ତ ଘଟଣାରେ ଚୁପ୍ ରହିଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ତେବେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସମିତି ସଭ୍ୟ ପ୍ରକାଶ କରିଛନ୍ତି ।
