ଆ   କା   ମା   ବୈ

             ଆ   କା   ମା   ବୈ

   🖊️କବିରତ୍ନ ନୂତନ କୁମାର ବେହେରା

ସମୟର ଗର୍ଭରେ ସେ ଅତୀତ ହୋଇଛି ବିଲୀନ
ଅଛି ତାର ଅଭୁଲା ଅପାସୋରା ସ୍ମୃତି ଯେତେ ସବୁ
ହୁଏ ଆଜି ଖାଲି ଜନ ମାନସରେ ରୋମନ୍ଥନ
ସେ ଅକ୍ଷୟ କୀର୍ତ୍ତି ଐତିହ୍ୟ ପରମ୍ପରା ସଂସ୍କୃତି
ଜାତିର ଆଦର୍ଶ ନୀତି ଗତି ପ୍ରଗତି ସମୃଦ୍ଧି ସ୍ଥିତି
ଗୌରବମୟ ସୁଖ୍ୟାତି ବିଜୟର ଗୀତି
ସାରା ବିଶ୍ଵେ ଆଣି ଦେଇଥିଲା ସ୍ବତନ୍ତ୍ର ପରିଚୟ
ପୁଣ୍ୟ ପବିତ୍ର ମାତୃଭୂମି ଉତ୍କଳର ଟେକ ଲାଗି
ଶ୍ରମ ସାଧନାରେ ରଖି ଏକାଗ୍ରତାର ଲକ୍ଷ୍ୟ
ଓଡ଼ିଆ ପୁଅ କର୍ମ କରୁଥିଲା ଦେଇ ମନ ହୃଦୟ
କରି ନିଜ ପ୍ରତିଭାର ବିକାଶ ବିଭିନ୍ନ କ୍ଷେତ୍ରେ
ପ୍ରଚାର ପ୍ରସାର ନିମନ୍ତେ ଯାଉଥିଲା ବିଦେଶେ
ନ ଥାଇ ବି ସେ ସମୟରେ ଗମନାଗମନ
ଅବା ଯୋଗାଯୋଗର ବିଶେଷ ସୁବିଧା ସୁଯୋଗ
ପ୍ରାଣପଣେ ଅକ୍ଳାନ୍ତ ଥିଲା… ତାର ଆତ୍ମପ୍ରକାଶେ
ନୌବାଣିଜ୍ୟରେ ଥିଲା ସୁଦକ୍ଷ ବୀର ସାହସୀ
ଆମଦାନୀ ରପ୍ତାନି କରି ବଢାଉଥିଲା ଜାତର ମାନ
ସାଧବ ପୁଅ ନାମେ ଥିଲା ସେ ସୁବିଖ୍ୟାତ
କାହିଁ କେତେ ଦୂରେ ଜାଭା ସୁମିତ୍ରା ବୋର୍ନିଓ
ସିଂହଳ ଲାକ୍ଷା ଦ୍ଵୀପ… ସାତ ଦରିଆ ସେପାରି
ନିଜର ଉତ୍ପାଦନ ଦ୍ରବ୍ୟ ଦୂର ଦେଶେ ବିକି
ଧନ ରତ୍ନ କେତେ ଆଣୁଥିଲା ଉପାର୍ଜନ କରି
ମେଘ ମୁକ୍ତ ହେଲେ ନୀଳ ଆକାଶ ଶରତ ଋତୁରେ
ବାଣିଜ୍ୟ ନିମନ୍ତେ ଶୁଭ ତିଥି କରିଥିଲା ସ୍ଥିର
ଆସିଲେ କାର୍ତ୍ତିକ ପୂର୍ଣ୍ଣିମାରେ ସେ ମହେନ୍ଦ୍ର ବେଳା
ଶୁଭ ମନାସୀ ପବିତ୍ର ମନେ ପ୍ରାଣେ ସାଧବାଣୀ
ପୂଜୁଥିଲା ମାଆ ମଙ୍ଗଳାଙ୍କୁ କରି ଇଷ୍ଟ ଠାକୁରାଣୀ
ନିରାପଦେ ଆସୁଥିଲେ ସାଧବେ ବେପାର ସାରି
ମାନବ ସମାଜେ ଶିକ୍ଷା ସଭ୍ୟତାର କ୍ରମ ବିକାଶେ
ଆଜି ବି ଉତ୍କଳ ଅଛି ପ୍ରତିଦ୍ବନ୍ଦିତାର ପଥେ
ମାତ୍ର ହଜିଛି ଜାତୀୟତା ବୋଧ ଭୁଲିଛି ଜାତିକୁ
ଆତ୍ମ ସ୍ବାର୍ଥରେ ବ୍ୟସ୍ତ…ନାହିଁ ସ୍ଵରାଜ୍ୟ ପ୍ରୀତି
କରୁନାହିଁ ବାଣିଜ୍ୟ ବେପାର ନିଷ୍ଠାର ସାଥେ
ଭେଜାଲ ଦ୍ରବ୍ୟ ଚାଲେ କଳାବଜାରୀ
ନାହିଁ ନ୍ୟାୟ ନୀତି ଆଦର୍ଶର ବଳିଷ୍ଠ ଚେତନା
ପୂର୍ବ ଗୌରବମୟ ସଂସ୍କୃତି… ଆ କା ମା ବୈ
ବିକାଶର ମୁଖ୍ୟ ଚାରି ମାସ ଆଷାଢ଼ କାର୍ତ୍ତିକ
ମାଘ ବୈଶାଖ…ଅଛି କେବଳ ତାର ସ୍ମରଣ
ହୃଦୟେ ଆଣେ ନାହିଁ ଉତ୍ସାହର ନବ ଜାଗରଣ
ପର୍ବର ଅନୁକରଣରେ ତା ପାଳିତ ହୁଏ ସତ
ଯେ ପର୍ଯ୍ୟନ୍ତ ବାସ୍ତବରେ ପୂର୍ବଜଙ୍କ ପଦାଙ୍କ
ଏ ଜାତି ନ କରିଛି ଅନୁସରଣ କି ଅନୁକରଣ
କରି ପାରିବନି ପ୍ରକୃତ ବିକାଶରେ ତାହା ପ୍ରମାଣ।

          ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ 
               ନବସୃଜନ ଇ-ପତ୍ରିକା 

             କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *