ବ୍ଲସ୍ତରୀୟ ମତ୍ସ୍ୟ,ପ୍ରାଣିସମ୍ପଦ ମେଳାଅନୁଷ୍ଠିତ।
ଗଣିଆ -ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ କିଶୋର ଚଦ୍ର ନୋଡାଲ ବିଦ୍ୟାପୀଠ ଖେଳ ପଡ଼ିଆ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ମେଳାରେ ଭାରପ୍ରାପ୍ତ ବିଡିଓ ଅଙ୍କୁର ଅଭିଳାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣିସମ୍ପଦ ଅଧିକାରୀ ଡା ରମେଶ କୁମାର ବେହେରା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସଚିତାରାଣୀ କର, ବୈଜ୍ଞାନିକ ଡ଼ ଅନିଲ କୁମାର ସ୍ଵାଇଁ,ଡ଼ା ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ ।ଏହି ମେଳାରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ତୁତିତନୟା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବା ସହ ଚାଷୀମାନଙ୍କୁ ମତ୍ସ୍ୟ ଓ ଗୋପାଳନ କରିବା ପାଇଁ ସଚେତନତା କରାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗଣିଆ ବିଡିଓ ତାଙ୍କ ଅଭିଭାଷଣରେ ମତ୍ସ୍ୟ ଓ ଗୋପାଳନ ଏକ ଲାଭଦାୟକ ବ୍ୟବସାୟ। ତେଣୁ ନିଜର ତଥା ଦେଶର ବିକାଶ କରିବାକୁ ହେଲେ ଅତ୍ୟାଧୁନିକ ପ୍ରଣାଳୀରେ ମାଛଚାଷ ଓ ଗୋପାଳନ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ କୃଷକମାନଙ୍କୁ ବୁଝାଇଥିଲେ। ତେଣୁ କୃଷକମାନଙ୍କୁ ଏଥିପାଇଁ ଆକୃଷ୍ଟ କରିବାକୁ ହେଲେ ସରକାରଙ୍କ ଯୋଜନା ବିଷୟରେ ଜନସଚେତନ କରାଇବା ଆବଶ୍ୟକ ବୋଲି କହିଥିଲେ। ନୂତନ ଜ୍ଞାନକୌଶଳରେ ମାଛ ଚାଷ କଲେ ଲାଭ ଦ୍ଵିଗୁଣିତ ହୋଇଥାଏ ବୋଲି ଜିଲ୍ଲା ପ୍ରାଣିସମ୍ପଦ ଅଧିକାରୀ କହିଥିଲେ । ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କୃଷକମାନଙ୍କୁ ଅଧିକ ଲାଭ ଦେବା ସହ ସ୍ବାବଲମ୍ବୀ କରାଉଛି । ତେଣୁ ସମସ୍ତେ କାମଧେନୁ ଯୋଜନାରେ ଗାଇ ମଇଁଷି ବ୍ୟବସାୟ କରନ୍ତୁ , ଯାହାକି ଅଧିକ ଲାଭବାନ କରାଇବା ବୋଲି ସିଡିଭିଓ ବୁଝାଇବା ସହ ଯୋଜନା ବିଷୟରେ ଜନସଚେତନ କରାଇବା ପାଇଁ ନିବେଦନ କରିଥିଲେ। ୮ଜଣ ସଫଳ ଚାଷିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଅନେକ ସଫଳ ଚାଷୀଙ୍କ କାହାଣୀକୁ ଏଲ୍ଇଡି ମାଧ୍ୟମରେ ଦେଖାଇଥିଲେ । ସମ୍ବର୍ଦ୍ଧିତ କୃଷକମାନେ ନିଜ ସଫଳ ପଛର କାହାଣୀ କହିଥିଲେ। କୁକୁଡ଼ାଚାଷ ଏକ ଲାଭବାନ ଚାଷ । ସେଥିପାଇଁ ଦୃଢ଼ ମନୋବଳର ଆବଶ୍ୟକ ରହିଛି ବୋଲି ସଫଳ କୁକୁଡ଼ା ଚାଷୀ ପାଇଁ ସମ୍ବର୍ଦ୍ଧିତ ହୋଇଥିବା ରଶ୍ମିତା ସାହୁ କହିଥିଲେ। ସେହିପରି ଗୋପାଳନ କରିବା ଦ୍ୱାରା ମନ ଓ ଶରୀରେ ସୁସ୍ଥ ରହେ ବୋଲି ସଫଳ ଗୋପାଳକ ଅନ୍ତର୍ଯ୍ୟାମୀ ମିଶ୍ର କହିଥିଲେ । ପରିଶେଷରେ ବ୍ଲକ କଳା ସଂସ୍କୃତି ତରଫରୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।୨ ଶହରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ । ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିଭାଗର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
