ରାୟଗଡ଼ ପଞ୍ଚାୟତ ସମିତିର ଚତୁର୍ଦ୍ଦଶ ବୈଠକ ଅନୁଷ୍ଠିତ

ରାୟଗଡ଼ା-୭/୧୧-ରାୟଗଡ଼ା ବ୍ଳକର ଚତୁର୍ଦ୍ଦଶ ସମିତି ବୈଠକ ଶୁକ୍ରବାର ଦିନ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା ଓ ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ କାଡ୍ରାକା ଆପାଲାସ୍ଵାମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା ଏଥିରେ ଅଧ୍ୟକ୍ଷତା କରିଥିଲେ। ଉପାଧ୍ୟକ୍ଷ ଶ୍ରୀଯୁକ୍ତ ହର ପ୍ରାସାଦ ହେପ୍ରିକା, ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ, ସମସ୍ତ ସମିତି ସଦସ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ଯ ସଭ୍ୟା ଯୋଗଦେଇ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟଜଳ, ଜିବିକା ମିଶନ, ପଶୁପାଳନ, କ୍ଷୁଦ୍ର ଜଳସେଚନ, ଗ୍ରାମ ଉନ୍ନୟନ, ସାମାଜିକ ସୁରକ୍ଷା ଆବାସ ଯୋଜନା, ସମ୍ମନ୍ବୀତ ଆଦିବାସୀ ଉନ୍ନୟନ ସଂସ୍ଥା, ଜଙ୍ଗଲ, ଜଳଛାୟା,ମଙ୍ଗଳ ବିଭାଗ, ଯୋଗାଣ, ମହିଳା ଓ ଶିଶୁ ବିଭାଗ,ଶ୍ରମ, ମତ୍ସ୍ୟ ଓ ଉଦ୍ୟାନ କୃଷି ଆଦି ବିଭାଗ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ସୁବିଧା ବିଷୟରେ ଗୃହକୁ ଅବଗତ କରିଥିଲ। ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଉଲ୍ଲାକା ବ୍ଲକ ତରଫରୁ କାର୍ଯ୍ୟକାରୀ ହେଉଥିବା ଏମପି ଲାଡ, ବିକେବିୱାଇ ଆଦି ବିଭିନ୍ନ ଉନ୍ନୟନ ଯୋଜନାର ସ୍ଥିତି,ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ସହ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କରିବାସହ ପାଣ୍ଠିର ସୁବିନିଯୋଗ କରି ପ୍ରକଳ୍ପ ଗୁଡିକର ଶିଘ୍ର ସଂପୂର୍ଣ୍ଣ କରିବା ନିମନ୍ତେ ଉତ୍ସାହିତ କରିଥିଲେ।

ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଭାଗିଦାରୀରେ ପ୍ରକଳ୍ପ ଚୟନ, ବିଭିନ୍ନ ବିଭାଗର ସମନ୍ଵୟରେ ଯୋଜନା ପ୍ରସ୍ତୁତି ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପାଲାସ୍ଵାମୀ ପ୍ରତି ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବବୋଧ ହେବାସହ ବିକାଶମୂଳକ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ଵାରୋପ କରିଥିଲେ । ଆରଡି ବିଭାଗକୁ ଅନେକ ଗ୍ରାମାଞ୍ଚଳ ରାସ୍ତା ହସ୍ତାନ୍ତର ହୋଇଥିଲେ ମଧ୍ଯ ପୁରାତନ ରାସ୍ତାର ରକ୍ଷଣାବେକ୍ଷଣ ତଥା ନୂତନ ରାସ୍ତା ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି ହୋଇପାରିନଥିବାରୁ ଗୃହ ଉଦବେଗ ପ୍ରକାଶ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର ଆବାସ, ଭତ୍ତା ଓ ଉନ୍ନୟନ ମୂଳକ ପ୍ରକଳ୍ପର ସ୍ଥିତି ବିଷୟରେ ତଥ୍ଯ ଉପସ୍ଥାପନ କରିଥିଲେ । ଆଗାମୀ ୨୦୨୫-୨୬ ବର୍ଷ ନିମନ୍ତେ ରାୟଗଡ଼ା ବ୍ଲକ ଅଞ୍ଚଳରେ ଉପଲବ୍ଧ ଅଣସ୍ତରୀ ଗୋଟି ଲଘୁବନଯାତ ଦ୍ରବ୍ଯର ଦର ଆଲୋଚନା ପରେ ସ୍ଥିରୀକୃତ କରାଯାଇଥିଲା। ବିଡିଓ ଶ୍ରୀଯୁକ୍ତ ମିଶ୍ର ସ୍ବାଗତ ଭାଷଣ ରଖିଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ମୃତିରେଖା ନାୟକ ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ । ଏବିଡିଓ କାଳୁଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *