ପୁରୀବାସୀଙ୍କ ଦର୍ଶନ ଇସ୍ୟୁ
ପୁରୀବାସୀ ଦର୍ଶନ ଇସ୍ୟୁ, ଶ୍ରୀମନ୍ଦିରରେ ପୁରୀବାସୀଙ୍କ ସହଜ ଓ ଶୃଙ୍ଖଳିତ ଦର୍ଶନ ନେଇ ଅତରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଶ୍ରୀମନ୍ଦିର ସେବାୟତ ସଂଘ। ଦିନକୁଦିନ ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପୁରୀବାସୀ ଜଗା ଦର୍ଶନରୁ ବଞ୍ଚିତ ରହୁଥିବା ଅଭିଯୋଗ ହୋଇଛି। ତେଣୁ ପୁରୀବାସୀଙ୍କ ପାଇଁ କିଛି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ଭେଟି ସେବାୟତ ମାନେ ଦାବି ଜଣାଇଛନ୍ତି । ଏନେଇ ଶ୍ରୀମନ୍ଦିର ସେବାୟତ ସଂଘ ଅତରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ ପୁରୀବାସୀ ନିଜର ପରିଚୟପତ୍ର ଦେଖାଇ ପଶ୍ଚିମଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ଏବେ ସେ ବ୍ୟବସ୍ଥା ଆଉ ନାହିଁ। ତେଣୁ ଚାରିଦୁଆରରେ ଯେଉଁଭଳି ବ୍ୟାରିକେଡ୍ ଦେଇ ଭକ୍ତମାନେ ଯାଉଛନ୍ତି ଠିକ୍ ସେହିଭଳି ମଧ୍ୟ ପୁରୀବାସୀ ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯାଉଛନ୍ତି। ଆଉ ଗହଳି ଦିନ ମାନଙ୍କରେ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାସହ ମହାପ୍ରସାଦ ଆଣିବାରେ ନାନା ସମସ୍ୟା ଭୋଗୁଛନ୍ତି। ତେଣୁ ବିଗତ ବର୍ଷମାନଙ୍କରେ ପୁରୀବାସୀ ଅନେକ ତ୍ୟାଗ କରିଥିବାରୁ ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯେକୌଣସି ଏକ ଦ୍ୱାରରେ ପ୍ରଶାସନ ସେମାନଙ୍କ ପାଇଁ ସହଜରେ ଶ୍ରୀମନ୍ଦିର ପ୍ରବେଶର ବ୍ୟବସ୍ଥା କରୁ ବୋଲି ଅତରିକ୍ତ ଜିଲ୍ଲାପାଳଙ୍କୁ ସେବାୟତ ସଂଘ ତରଫରୁ ଦାବିପତ୍ର ଦିଆଯାଇଛି। ଅନ୍ୟପଟେ ସେବାୟତଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅତରିକ୍ତ ଜିଲ୍ଲାପାଳ କହିଛନ୍ତି ପୁରୀବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନିହାତି ଆବଶ୍ୟକ ଓ ପ୍ରଶାସନ ଏ ଦିଗରେ ବିଚାରବିମର୍ଶ କରି ପଦକ୍ଷେପ ନେବ।
