ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ ୨୦୨୫ ପାଳିତ2024-25 ଆର୍ଥିକ ବର୍ଷରେ 1341ଟି ଅଭିଯୋଗର ଫଇସଲା
ଭୁବନେଶ୍ୱର ୧୨/୧୧/୨୦୨୫ବୀମା ସମ୍ବନ୍ଧୀୟ (ଫସଲ ବୀମା ବ୍ୟତୀତ) ଅଭିଯୋଗଗୁଡିକର ଆଶୁ ସମାଧାନ ନିମନ୍ତେ ଭାରତ ସରକାର ୧୮ଟି ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ କାର୍ଯ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ପ୍ରତିବର୍ଷ ପରି ଏଥର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଦିବସ, ତା ୧୧.୧୧.୨୦୨୫ (ମଙ୍ଗଳବାର) ଦିନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦେବା ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି ଏବଂ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ ଆଦେଶକୁ ବୀମା କମ୍ପାନୀମାନଙ୍କୁ ପାଳନ କରିବା ନିମନ୍ତେ ଆଇନତଃ ବାଧ୍ୟ କରିଛନ୍ତି । ବିଗତ ଆର୍ଥିକ ବର୍ଷ (୨୦୨୪-୨୫) ରେ ସର୍ବମୋଟ ୧୩୪୧ ଟି ଅଭିଯୋଗର ନିଷ୍ପତି କରାଯାଇଛି । ସବୁଠାରୁ ଉଲ୍ଲେଖନୀୟ ଉପଲବ୍ଧି ଏହା ଯେ ଶତପ୍ର୍ରତିଶତ ଅଭିଯୋଗ ମାତ୍ର ୬୦ ଦିନ ମଧ୍ୟରେ ଅର୍ଥାତ ନିର୍ଦ୍ଧାରିତ ସମୟସୀମା (୯୦ ଦିନ) ର ବହୁ ପୂର୍ବରୁ ବ୍ୟକ୍ତିଗତ ଏବଂ ଆଭାସୀ ଶୁଣାଣି ମାଧ୍ୟମରେ ନ୍ୟାୟିକ ନିଷ୍ପତ୍ତି ଦିଆଯାଇ ପାରିଛି । ଅନେକ ଅଭିଯୋଗ, କମ୍ପାନୀ ଏବଂ ଅଭିଯୋଗକାରୀଙ୍କ ଆପୋଷ ସହମତିରେ ସମାଧାନ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନ ଅନୁଷ୍ଠାନ ବିନାମୂଲ୍ୟରେ ସମସ୍ତ ବୀମା ସମ୍ବନ୍ଧିତ ଅଭିଯୋଗଗୁଡିକର ବିଚାର ତଥା ନିଷ୍ପତ୍ତି କରିଥାଏ । ଏଥି ନିମନ୍ତେ କୌଣସି ତୃତୀୟ ପକ୍ଷଙ୍କ ସାହାଯ୍ୟର ଆବଶ୍ୟକତା ନଥାଏ । ବୀମାଧାରୀମାନେ ଅନଲାଇନ ଏବଂ ଅଫ ଲାଇନରେ ନିଜର ଅଭିଯୋଗ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ।ମୁଖ୍ୟ ଅତିଥି ଭାବରେ ନ୍ୟ।ସନାଲ ଇନ୍ସୁରାନ୍ସ ଏକାଡେମୀର ପୂର୍ବତନ ନିର୍ଦ୍ଧେଶକ ତଥା ଶ୍ରୀ ଶ୍ରୀ ୟୁନିଭରସିଟିର ପୂର୍ବତନ କୁଳପତି ତଥା ସହ ପ୍ରତିଷ୍ଠାତା ଶ୍ରୀ କୈଳାଶ ଚନ୍ଦ୍ର ମିଶ୍ର ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସଚିବ ଶ୍ରୀ ଅଜୟ କୁମାର ଦାସ ପୂର୍ବ ବର୍ଷର ଉପଲବ୍ଧି ବିଷୟରେ ବିବରଣୀ ଦେଇଥିଲେ । ପରିଶେଷରେ ଶ୍ରୀ ବିରୁପାକ୍ଷ ପଣ୍ଡା, ସଚିବ (ନନ ଲାଇଫ) ଧନ୍ୟବାଦ ଅର୍ପଣ କରିଥିଲେ । ଉପଭୋକ୍ତାଙ୍କ ଅବଗତି ନିମନ୍ତେ ଇନ୍ସୁରାନ୍ସ ଅମ୍ବୁଡ୍ସମ୍ୟାନଙ୍କୁ ଯୋଗାଯୋଗର ବିବରଣୀ ଦିଆଗଲା ।
