ଜନଜାତୀୟ ଗୌରବ ଦିବସ ୨୦୨୫
“ ଜନଜାତୀୟ ଗୌରବ ଦିବସ ୨୦୨୫-ଜିଲ୍ଲାବ୍ୟାପି ଉତ୍ସାହରେ ପାଳନ ”
ଆମ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ,ସମସ୍ତ ଜନଜାତି ଓ ସବୁ ଭାରତୀୟଙ୍କ ଗର୍ବ ଗୌରବ ଓ ଆଦର୍ଶ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକ ପୁର୍ତ୍ତି ଅବସରରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ଶହୀଦ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଦିନଟି ଆଦିବାସୀ ନେତାମାନଙ୍କ ତ୍ୟାଗ, ସାହସ ଓ ସାମ୍ବିଧାନିକ ଅଧିକାରୀ ପାଇଁ କରାଯାଇଥିବା ସଂଘର୍ଷକୁ ସ୍ମରଣ କରିବା ସହ ତାଙ୍କର ସାଂସ୍କୃତିକ ଐତିହକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପାଳନ କରାଯାଏ । ବିଭିନ୍ନ ବ୍ଲକରୁ ଶତାଧିକ ଆଦିବାସୀ ସଂପ୍ରଦାୟର ଲୋକ ପହଞ୍ଚି ଜନଜାତୀୟ ଗୌରବ ଦିବସ କୁ ଅତି ଧୁମଧାମ୍ ରେ ମନେଇଛନ୍ତି । ବିଭିନ୍ନ ଆଶ୍ରମ ସ୍କୁଲରୁ ଆସିଥିବା କୁନି କୁନି ଛାତ୍ର ଛାତ୍ରୀମାନେ ସେମାନଙ୍କର ଉତ୍କୃଷ୍ଟ ନୃତ୍ୟ ପ୍ରଦର୍ଶନକରି ସମସ୍ତଙ୍କୁ ବିମୋହିତ କରିଥିଲେ । ଗାୟିକା ଶୁଭ୍ରସ୍ମିତା ରାଉତ, ସ୍ମୃତିଶ୍ରୀୟା ମହାନ୍ତି ଏହି ଅବସରରେ ଦେଶାତ୍ମବୋଧକ ଓ ଲୋକ ସଂଗୀତ ଗାନ କରି ଆଧ୍ୟାତ୍ମିକ ଓ ରାଷ୍ଟ୍ରଭକ୍ତି ପରିବେଶ ସୃଷ୍ଟି କରିଥିଲେ । ଅନୁଷ୍ଠିତ ହୋଇଥିବା ସଭାରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଭଦ୍ରକ, ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକ ରଶ୍ମିରଞ୍ଜନ ମଲ୍ଲିକ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଣୀ ଉର୍ମିଳା ଗୋଚ୍ଛାୟତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଜଙ୍ଗଲ ସୁରକ୍ଷା ଆଇନ ଅନୁସାରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ରହଣିଆ, କୁରିଗାଁ, ରାଜେନ୍ଦ୍ରପୁର ଓ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ରେ ମୋଟ ୧୨ ଜଣଙ୍କୁ ଗୋଷ୍ଠୀ ସମ୍ବଳ ପଟ୍ଟା (ଶିରୋନାମା) ଭଦ୍ରକ ବିଧାୟକଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ପରେ ପରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାଦମ୍ବରୀ କରସର୍ମା ମଞ୍ଚ ପରିଚାଳନା କରିବା ସହିତ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ ଶ୍ୟମସୁନ୍ଦର ଜେନା, ଆଇଜାକ ମହାନ୍ତି, ଏ.ସି.ପି ସୌମ୍ୟରଞ୍ଜନ ଜେନା, ରଶ୍ମିରେଖା ଦାସ, ହିମାଂସୁ ସାମଲ, ଅୟସକାନ୍ତ ମାଝୀ, କ୍ଷିରୋଦ ବଳ, ଜୟପ୍ରକାଶ ଦାସ, ରଶ୍ମିରାଣୀ ଦାସ ଏବଂ ନିର୍ମଳ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସର୍ବ ଶେଷରେ ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ଉପସ୍ଥିତ ସମସ୍ତ ଅତିଥି, ବିଭାଗୀୟ ଅଧିକାରୀ ,ହିତାଧିକାରୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
