କବିତା ପ୍ରୀତି
ଶୀର୍ଷକ _କବିତା ପ୍ରୀତି
ରୀତାରାଣୀ ଦାଶ
ବାଲେଶ୍ୱର
କବିତାର ପ୍ରେମ ଅଟେ ଅନୁପମ
ନାହିଁ ତାହାର ତୁଳନା
ପ୍ରୀତି ଅଭିବ୍ୟକ୍ତି ନିରନ୍ତର ବାଣ୍ଟେ
ଗଭୀର ତାର କଳ୍ପନା
ହୋଇପାରେ ବ୍ୟକ୍ତିଗତ,
ସୃଜନଶୀଳର ଭାଷା ବ୍ୟବହାର
ଅନ୍ତରଙ୍ଗେ ପରିବ୍ୟାପ୍ତ |
କବିତା ପୀରତି ପ୍ରକାଶର ବିଧି
ଗଭୀରେ ପ୍ରତିଧ୍ୱନିତ
ରୂପ ଉପମାରେ ବାକ୍ୟ ବିନ୍ୟାସରେ
କୌଶଳ ବ୍ୟବହାରିତ
ଛନ୍ଦ ଯୁକ୍ତ ଅଳଙ୍କାର,
ଲେଖନୀ ମୁନରେ ମୁକ୍ତ ଭାବନାରେ
ରୂପଦିଏ ରୂପକାର |
ମର୍ମସ୍ପର୍ଶୀ ତାର ଅଭିବ୍ୟକ୍ତି ଗୀର
କବିତା ପ୍ରେମ ପୀରତି
ସ୍ଥଳ ବିଶେଷରେ ସଂଗୀତର ସ୍ୱରେ
ବର୍ଣ୍ଣନା ଓ ଅନୁଭୂତି
ପ୍ରକାଶଇ ନିତି ଦିନ,
ସଂସ୍କାର ସଂସ୍କୃତି ସଦ୍ଭାବନ ପ୍ରୀତି
ଖୋଜୁଥାଏ ପ୍ରତିକ୍ଷଣ |
କବିତାର ପଂକ୍ତି ସାଜେ ଅସରନ୍ତି
ଅବୁଝା ମନର ସ୍ଥିତି
ଝରି ପଡେ ସ୍ୱତଃ ଧୀରେ ପ୍ରେମ ଶବ୍ଦ
ହୃଦୟକୁ ଦିଏ ଶାନ୍ତି
ସନ୍ତୋଷେ ଲଭେ ବିଶ୍ରାମ,
କୋମଳ ସ୍ପର୍ଶରେ କବିତା କୋଳରେ
ପରିତୃପ୍ତ କରେ ପ୍ରେମ |
ପୁରାତନ ଆଣେ ନୂତନ ଭାବନା
ଶବଦର ସୌନ୍ଦର୍ଯ୍ୟରେ
ପ୍ରତିଟି ଆତ୍ମାରେ ଭାବ ଓ ଅର୍ଥରେ
ପ୍ରୀତି ଜାଗେ ବିଶ୍ୱାସରେ
କବି କବିତା ପୀରତି,
କେବଳ ଅଟଇ କୋଣ ଅନୁକୋଣେ
ପରିବୃଦ୍ଧି ଭାଷା ଖ୍ୟାତି |
