ଆତ୍ମୀୟତା ଆଜି କାନ୍ଦେ ଧକେଇ
ଆତ୍ମୀୟତା ଆଜି କାନ୍ଦେ ଧକେଇ
( ରାଗ — ଆନନ୍ଦ )
▪️କବିରତ୍ନ ନୂତନ କୁମାର ବେହେରା
ଜୀବର ଜୀବନ’ ସଂପର୍କେ ବନ୍ଧା’
ପବିତ୍ରେ ମଧୁର’ ରଜନୀଗନ୍ଧା’,
ରହି ଅ’ତୁଟ’ ଦେଖାଏ ବାଟ’
ଶୁଦ୍ଧ ଚିତ୍ତେ ରହେ’ ଶରୀର ଘଟ’ ।
ଅଜ୍ଞାନ ବଶତଃ ହୋଇଲେ ମୂଢ଼
ବିଶ୍ଵାସ ଭରସା ହୁଏନା ଦୃଢ଼,
ମୋହର ବଶେ ହୁଏ ନାସ୍ତିକ
ତୁଚ୍ଛ କାମନାର ସାଜେ ଭକ୍ଷକ ।
ସଂପର୍କର ଭାବ ବୁଝେନା କିଛି
ନିଜର ସ୍ଵାର୍ଥକୁ ନିଅଇ ବାଛି,
କରେ ଅନ୍ୟାୟ ଭାବେନା ଭଲ
ମେଲି ଚାଲିଥାଏ ମାୟାର ଜାଲ ।
ଜୀବନେ ପ୍ରତିଭା କରି ବିକାଶ
ଆତ୍ମା ଆତ୍ମା ମେଳେ ମିଳେ ସନ୍ତୋଷ,
ହସ ଖୁସିରେ ଜୀବନ ରଖି
ସଂସାର ପଥରେ ଚାଲଇ ଦେଖି ।
ଭେଦା ଭେଦ ଭାବେ ଆଣି ବିକାର
କରନ୍ତି ଅନେକେ ପାତ୍ର ଅନ୍ତର,
ଯା’ ଲାଗି ହୁଏ ଗୋଷ୍ଠୀ କନ୍ଦଳ
କଳହେ ବିତେ ଜୀବନ କାଳ ।
ହତ କରେ ଯିଏ ବିବେକ ବୁଦ୍ଧି
ପାଏ ନାହିଁ କେବେ ସାଧନେ ସିଦ୍ଧି,
ସାତ୍ତ୍ୱିକ ସୁଖ ଭବେ ନ ପାଇ
ଆତ୍ମୀୟତା ଆଜି କାନ୍ଦେ ଧକେଇ ।
ଘରେ ସମାଜରେ ନାହିଁ ଶୃଙ୍ଖଳା
ମଣିଷ ବୁଢ଼ାଏ ତାହାର ଭେଳା,
ଦେଇ ସେ ଧୋକା କରେ ବିଭ୍ରାଟ
ନିଜ ଗୁଣେ ଆଣେ ବହୁ ସଂକଟ।
ଥିଲେ ଘୃଣ୍ୟଭାବ ମନ ହୃଦୟେ
ଆସେନା ଦରଦ ରହେ ନିର୍ଦ୍ଦୟେ,
ଜୀବନେ ସୁଖ ଆସେନା କେବେ
ବିକଳେ ରୁହଇ ଘୋର ଅଭାବେ ।
ସରଳ ନିରୀହ ପଡ଼ି ବିପଦେ
ଜୀବନ କାଟଇ ଦୁଃଖ ବିଷାଦେ,
ବିବଶେ ସେହି ବିମୁଖ ହୋଇ
ଆତ୍ମୀୟତା ଆଜି କାନ୍ଦେ ଧକେଇ ।
କରିଥାଏ ଯିଏ ଆତ୍ମ ସମୀକ୍ଷା
ଦେଇ ଚାଲିଥାଏ ଅଗ୍ନି ପରୀକ୍ଷା,
ବହୁ କଷ୍ଟ ସହି ହୁଏ ସଫଳ
ପରିଣାମେ ତାର ହୁଏ ମଙ୍ଗଳ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
