୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ରାଜ୍ୟସ୍ତରୀୟ ଉତ୍ସବ

୭୨ତମ ନିଖିଳ ଭାରତ ସମବାୟ ସପ୍ତାହ ରାଜ୍ୟସ୍ତରୀୟ ଉତ୍ସବ

ସମବାୟରେ ଶକ୍ତି, ସମବାୟରୁ ସମୃଦ୍ଧି: ମନ୍ତ୍ରୀ

ଭୁବନେଶ୍ଵର, ୧୯/୧୧/୨୦୨୫:

ନିଖିଳ ଭାରତ ସମବାୟ ସପ୍ତାହ-୨୦୨୫ (ନଭେମ୍ବର ୧୪-୨୦)ର ରାଜ୍ୟସ୍ତରୀୟ ଉତ୍ସବ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଥିଲେ, “ସମବାୟରେ ଶକ୍ତି, ସମବାୟରୁ ସମୃଦ୍ଧି ।” ତୃଣମୂଳ ସ୍ତରରେ ସମସ୍ତ ପ୍ରକାର ସେବା ଯୋଗାଇ ଦେବା ପାଇଁ ସମବାୟ କ୍ଷେତ୍ରକୁ ଅଧିକ ସଶକ୍ତ ଓ ସମୃଦ୍ଧ କରାଯିବ ବୋଲି ସେ ଘୋଷଣା କରିଥିଲେ ।

ଏହି ଉତ୍ସବର ଅଂଶ ସ୍ୱରୂପ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ସମବାୟ ସଂସ୍ଥାଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ସମବାୟ ବିକାଶ ନିଗମ ଦ୍ଵାରା ମନୋନୀତ ଉଚ୍ଚ ପ୍ରଦର୍ଶନକାରୀ ସମବାୟ ଏବଂ କୃଷକ-ଉତ୍ପାଦକ ସଂଗଠନକୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମାନ୍ୟବର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଉଦ୍ଘାଟନ କରିଥିଲେ ।

ସମବାୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବ୍ୟାପକ ସଂସ୍କାର ଉପରେ ଆଲୋକପାତ କରିବା ସହ ସମସ୍ତଙ୍କ ସହଯୋଗ ଓ ସମ୍ମିଳିତ ପ୍ରୟାସ ପାଇଁ ସମବାୟ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଆହ୍ଵାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାଶ, ସମବାୟ ମହାସମୀକ୍ଷକ ସନ୍ତୋଷ ନାୟକ, ଓଡ଼ିଶା ରାଜ୍ୟ ସମବାୟ ସଂଘର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ, ସ୍ଵତନ୍ତ୍ର ଶାସନ ସଚିବ ଉଷାରାଣୀ ଦାସ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଓସମା ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ର, ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି, ବରିଷ୍ଠ ସମବାୟବିତ୍ ପବିତ୍ର ଦାଶ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଅତିରିକ୍ତ ନିବନ୍ଧକ ଭକ୍ତବନ୍ଧୁ ସାହୁ, ଅତିରିକ୍ତ ନିବନ୍ଧକ ରୋଜାଲିନ ସେନାପତି, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଯୁଗ୍ମ ନିବନ୍ଧକ ଲିଙ୍ଗରାଜ ନାୟକ, ଅର୍ଥ ପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ, ପ୍ରାଥମିକ, କେନ୍ଦ୍ରୀୟ, ଶୀର୍ଷ ସମବାୟ ସମିତିର କର୍ମକର୍ତ୍ତା, ଶିକ୍ଷାବିତ୍, ବୁଦ୍ଧିଜୀବୀ, ସମବାୟବିତ୍ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *