ବୁଢ଼ା ବରଗଛ

                 ବୁଢ଼ା ବରଗଛ

   ▪️କବିରତ୍ନ ନୂତନ କୁମାର ବେହେରା

ସମସ୍ତଙ୍କ ପରି ଗଛ ବି ବଢ଼ି ବୁଢ଼ା ହୁଏ
ସମୟର ଅତିକ୍ରାନ୍ତେ…ବୟସର ଆଧିକ୍ୟରେ
ପ୍ରକୃତିର ଚଳନ୍ତି ନିୟମକୁ କିଏ ବା
ଉଲଙ୍ଘନ କରି ପାରେ ତାର ସାଧ୍ୟରେ
ଗାଁ ମୁଣ୍ଡର ଅବା ଯେ କୌଣସି ସ୍ଥାନର ହେଉ
ବରଗଛ ବି କ୍ରମେ ଏମିତି ବୁଢ଼ା ହୁଏ
ସମସ୍ତେ କହୁଥାନ୍ତି ଏ ବୁଢ଼ା ବରଗଛ
କହିବାରେ ତାତ୍ପର୍ଯ୍ୟ ଥାଏ ଜୀବନର ଦର୍ଶନ
ବରଗଛଟିଏ ବୁଢ଼ା ହୋଇ ନ ଥାଏ
କେବଳ ଦିନ ଦଣ୍ଡ ମାସ ବର୍ଷର ହିସାବରେ
ସେ ସହିଥାଏ କେତେ ଖରା ବର୍ଷା ଶୀତ
ସାମ୍ନା କରି ଲଢ଼ିଥାଏ ନିଜକୁ ସମ୍ଭାଳି ରଖି
ଅନେକ ବାତ୍ୟା ମହାବାତ୍ୟା ସହିତ
ଦେଖାଏ ସେ…ତାର ସାମର୍ଥ୍ୟର ପରାକ୍ରମ
ତାର ଜୀବନୀ ଭିତରେ ଗୁନ୍ଥି ରଖିଥାଏ
ଅନେକ ଜୀବନର ଇତିହାସ…ଯା’ ଅଭୁଲା
ମୂକସାକ୍ଷୀ ପାଲଟି ଦେଉଥାଏ ପ୍ରେରଣା
ପଥିକଙ୍କୁ ସେ ଦେଇଛି କେତେ ଶୀତଳ ଛାଇ
କେତେ ପକ୍ଷୀ ତା’ ଡ଼ାଳରେ ବାନ୍ଧିଛନ୍ତି ବସା
ପୂରଣ କରିଛି ସେ କେତେକଙ୍କର ଆଶା
କରି ସେ ପାରୁ ପର୍ଯ୍ୟନ୍ତ ତ୍ୟାଗ ହୋଇଛି ସାହା
କେବେ କାହାକୁ ଦେଇ ନାହିଁ କିଛି ବାଧା
କରିନାହିଁ କାହାକୁ କିଛି ବି ଆପତ୍ତି ଅଭିଯୋଗ
ଖୋଜି ନାହିଁ କାହାଠାରୁ ଦାନର ପ୍ରତିଦାନ
ମୁଣ୍ଡ ଟେକି ରହିଛି…ଓହଳ ଲମ୍ଵାଇଛି ମାଟିକୁ
ଭାଙ୍ଗିଛି ବହୁବାର ତାର ଶାଖା ପ୍ରଶାଖା ଡ଼ାଳ
ପତ୍ରଛଡ଼ା ଦେଇଛି ଫି ବର୍ଷ ବସନ୍ତ ଆସିବା ପୂର୍ବରୁ
ଧୈର୍ଯ୍ୟ ସହିତ ଦମ୍ଭରେ ହୋଇଛି ସେ ଠିଆ
ବଖାଣିଛି ତାର ଜୀବନର ଯନ୍ତ୍ରଣା କି ଦୁର୍ବିଷହ
ବୁଝାଇଛି ଜୀବନ ନୁହେଁ କେବଳ ନିଜ ପାଇଁ
ସବୁରି ସୁଖରେ ଦୁଃଖରେ ଦେଇଛି ଭରସା
କିନ୍ତୁ ବୁଢ଼ା ହେଲା ପରେ ହୁଏ ଅଲୋଡ଼ା
କାହାର ଟିକିଏ ବି ନଜର ନ ଥାଏ ତା’ ପ୍ରତି
ନିଃସଙ୍ଗରେ ନୀରବ ରହି କହେ ବୁଢ଼ା ବରଗଛ
” ଦେଖରେ ଥରେ …ଦୂରରୁ ଦୂରଦୃଷ୍ଟିରେ
ତ୍ୟାଗ କରିବା ଧର୍ମ ଉତ୍ସର୍ଗୀକୃତ ଏ ଜୀବନ
କେହି କରୁ ବା ନ କରୁ ତୁମର ଆଦର ଅଭ୍ୟର୍ଥନା
ଦାୟିତ୍ଵ ବୁଝି କରି ଚାଲ ତୁମର କର୍ତ୍ତବ୍ୟ
ପ୍ରକୃତିକୁ ଆସିଛ…ବୁଝ ପ୍ରକୃତ ଜୀବନର ସତ୍ୟ
କାହିଁକି ଆସିବାର ଆବଶ୍ୟକତା ପଡ଼ିଲା
ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ କରି ରଖ ସ୍ଵାଭିମାନ
ତାହା ହିଁ ତୁମର ସାର୍ଥକ …ସଫଳ ଜୀବନ
ଦୀର୍ଘାୟୁରେ ଧୈର୍ଯ୍ୟର ବୁଢ଼ା ବରଗଛ ପରି ହୁଅ
କିନ୍ତୁ ଆତ୍ମଶକ୍ତି ହରାଇ ହୁଅ ନାହିଁ ଅସହାୟ…”!

        ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ
             ନବସୃଜନ ଇ-ପତ୍ରିକା
       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *