_ଶ୍ରୀମନ୍ଦିରରେ ମଙ୍ଗଳ ଆରତୀ

ଶୀର୍ଷକ _ଶ୍ରୀମନ୍ଦିରରେ ମଙ୍ଗଳ ଆରତୀ


ରୀତାରାଣୀ ଦାଶ
ବାଲେଶ୍ୱର

ଶଙ୍ଖନାଦ ଘଣ୍ଟା ଧ୍ୱନିରେ କମ୍ପିଲା
ପ୍ରଭୁଙ୍କ ଦ୍ୱାର ଫିଟିଲା
ନୀତିକାନ୍ତି ପାଇଁ ତତ୍ପର ବ୍ରାହ୍ମଣେ
ଭକ୍ତ ମନ ଉଛୁଳିଲା
ଜୟ ଜଗନ୍ନାଥ ହରେ,
ମଙ୍ଗଳ ଆରତୀ ଝଟିକି ଉଠିଲା
ପ୍ରଭୁଙ୍କ ଶ୍ରୀମନ୍ଦିରରେ |

ଜଗତର ନାଥ ଜଗନ୍ନାଥ ପାଶେ
ବିକଶିଲା ଦୀପ ଜ୍ୟୋତି
ଭକ୍ତର ହୃଦୟେ ଶାନ୍ତି ଭରି ଦିଏ
ଖେଳିଯାଏ ଦିବ୍ୟକାନ୍ତି
ପୂଣ୍ୟ ପ୍ରଭାତ ସମୟ,
ମନ୍ଦିର ଶିଖରେ ସୂରୁଜ କିରଣେ
ଉତ୍ଫୁଲ୍ଲିତ ପ୍ରଭୁ ମୁହଁ |

ମୁଖରିତ ହୁଏ ଜନ କୋଳାହଳ
ପ୍ରକମ୍ପିତ ବେଦ ଧ୍ୱନି
ମଣିମା ମଣିମା ଡାକରେ ଉଛୁଳେ
ପାହି ଗଲାଣି ରଜନୀ
ଚନ୍ଦନ କସ୍ତୁରୀ ବାସ,
ଶୟନ ତେଜିଣ ଜଗତର ନାଥ
ସିଂହାସନେ ଉପବିଶ |

ଦୟଣା ତୁଳସୀ ଉଠଇ ଝଲସି
ଶୂନ୍ୟ ବ୍ରହ୍ମ ଦିବ୍ୟ ଜ୍ୟୋତି
ମଙ୍ଗଳ ଲଗନେ ଜୀବନ ମଗନ
ଦର୍ଶନେ କମଳା ପତି
ବିହ୍ଵଳିତ ତନୁ ମନ,
ପ୍ରଭୁ ଜଗନ୍ନାଥ ସୁଦୟା କରିବ
ହେବ ଜଗତ କଲ୍ୟାଣ |

କୋଟି ଜନ୍ମ ପାପ ଖଣ୍ଡିତ ଯେ ହେବ
ଦର୍ଶନେ ମଙ୍ଗଳାରତୀ
କର୍ତ୍ତବ୍ୟ ପଥରେ କର୍ମଯୋଗୀ ହୋଇ
ସତ୍ୟପଥେ ସଦା ବ୍ରତୀ
ଏତିକି ସୁଦୟା କର,
ଜୀବନର ଯାତ୍ରା ସାର୍ଥକ କରହେ
ଅନ୍ତର୍ଯ୍ୟାମୀ ଚକ୍ରଧର |

Leave a Reply

Your email address will not be published. Required fields are marked *