ବିଦ୍ୟା ଦଦାତି ବିନୟ
ଶୀର୍ଷକ _ବିଦ୍ୟା ଦଦାତି ବିନୟ
ରୀତାରାଣୀ ଦାଶ
ବାଲେଶ୍ୱର
ପ୍ରକୃତ ବିଦ୍ୟାରେ ନମ୍ରତା ବଢ଼ଇ
ବିନମ୍ରତାରେ ଯୋଗ୍ୟତା
ଯୋଗ୍ୟତା ବଳରେ ପ୍ରାପ୍ତି ଐଶ୍ୱର୍ଯ୍ୟର
ଧର୍ମକର୍ମେ ସୁଖ ସଦା
ବିଦ୍ୟା, ଦାନ, କ୍ଷମା,ସତ୍ୟ
ବ୍ୟତିକ୍ରମ ଥିଲେ ଏହି ସୁଗୁଣରେ
ପଶୁତୁଲ୍ୟ ବିବେଚିତ |
ଜ୍ଞାନର ଆଲୋକ ଚମକେ ଉଜ୍ଜ୍ୱଳେ
ଘନ ଅନ୍ଧାର ରାତ୍ରିର
ବିରଳ ରତ୍ନ ଏ ଜ୍ଞାନ ଚାବିକାଠି
ମୂଲ୍ୟବାନ ଉପହାର
ଅତୁଳନୀୟ ଉପମା,
ବିନୟ ଭାବ ଯା ହୃଦୟରେ ଜନ୍ମ
ନାହିଁ ତାହାର ତୁଳନା |
ସତ୍ୟ ଦର୍ଶନର ପଥ ଏକମାତ୍ର
ପ୍ରଜ୍ଜ୍ୱଳିତ ଉପାଦାନ
ଭୟେ ଜୟଯୁକ୍ତ ଜ୍ଞାନର ସହିତ
ଉଚ୍ଚ ମାର୍ଗରେ ଉତ୍ଥାନ
ନୂତନ ସପନ ପଥେ,
ଦି ଅକ୍ଷର ପାଠ ପଢିଥିବା ଲୋକ
ସାକ୍ଷର ଜ୍ଞାନରେ ଅଟେ |
ଫଳନ୍ତି ବୃକ୍ଷ ଯେ ଅବନତ ହୁଏ
ଗୁଣୀ ଜନ ମଥା ନତ
ଶୁଷ୍କ କାଷ୍ଠ ପ୍ରାୟ ଅଜ୍ଞାନର ହେୟ
ମାନେନା କଦାପି ସତ
ଫଳବିନା ବୃକ୍ଷ ସମ,
ଶୂନ୍ୟ ଗଗନେ ସେ ନିକୁଟି ଅନାନ୍ତି
କରେନା ବିବେକ କାମ |
ବିଦ୍ୟାଲାଭେ ପ୍ରାପ୍ତି ନମ୍ର, ଆଉ ଶାନ୍ତି
ଶୃଙ୍ଖଳିତ ବ୍ୟବହାର
ଜ୍ଞାନ ସାଗରରେ ଟୋପାଏ ବିନ୍ଦୁ ଟେ
ବୁଦ୍ଧି ଜ୍ଞାନର ଭଣ୍ଡାର
ଶକ୍ତିବିନା ଯେ ଅସାର,
ଆକାଶ ଧରିତ୍ରୀ ଜଳ ବାୟୁ ରବି
ପଞ୍ଚ ତତ୍ତ୍ୱ ସମାହାର |
ଶ୍ରାଦ୍ଧବନ୍ତ ଯିଏ ସୁକେନ୍ଦ୍ରିକ ସିଏ
ନିଷ୍ଠାବାନ ଅନୁରକ୍ତ
ସୁନୀତି ସମ୍ପନ୍ନ ସେ ଚରିତ୍ରବାନ
ସଂସାର ବନ୍ଧନୁ ମୁକ୍ତ
ତାହା ହିଁ ପ୍ରକୃତ ବିଦ୍ୟା,
ଅନୁଭୂତି ଜାତ ସମ୍ବଦ୍ଧ ଆନ୍ୱିତ
ଅନ୍ୟଥା ନୁହଁଇ ଶିକ୍ଷା |
