ଆସ ମହାଲକ୍ଷ୍ମୀ ଆମ ଘରକୁ

          ଆସ ମହାଲକ୍ଷ୍ମୀ ଆମ ଘରକୁ
               ( ରାଗ — ଆନନ୍ଦ )

  🔹କବିରତ୍ନ ନୂତନ କୁମାର ବେହେରା

ଆସ ମହାଲକ୍ଷ୍ମୀ’ ଆମ ଘରକୁ’
            ବିନୟରେ ସ୍ତୁତି’ କରୁ ତୁମକୁ’
ତୁମ କ’ରୁଣା’ ଭବେ ଅପାର’
      ସଂସାର କଲ୍ୟାଣେ’ ରହିଛି ଚିର’ ।
ତୁମେ ଦୟାମୟୀ କୃପା ଦାୟିନୀ
          ତୁମେ ଆଦିମାତା ସିନ୍ଧୁ ନନ୍ଦିନୀ,
ତୁମ ଚରଣେ ଦିଅ ଶରଣ
        ଜୀବ ଜଗତର ରଖ ଗୋ ପ୍ରାଣ ।
ମଗୁଶିର ମାସ ଗୁରୁବାର ଯେ
         ଭକ୍ତି କରୁ ତୁମ ପାଦ ପଙ୍କଜେ ।             
ବିଶ୍ଵାସ କରି ହୃଦେ ତୁମକୁ
           ଭରସା କରିଛୁ ତୁମ କୃପାକୁ ।
ଆସ ମହାଲକ୍ଷ୍ମୀ’ ଆମ ଘରକୁ’…
ତୁମେ ଅନ୍ନପୂର୍ଣ୍ଣା ଦେବୀ ଗୋ ମାତା
         ସର୍ବେ ଲଡ଼ୁ ତୁମ ସ୍ନେହ ମମତା,
ପବିତ୍ର ମନେ କରୁଛୁ ଓଷା
         ତୁମଠାରେ ରଖି ଅଗାଧ ଆଶା।
ଅରୁଆ ଚାଉଳେ ପିଠଉ ବାଟି
       ଘର ଅଗଣାରେ ଲେଖିଛୁ ଝୋଟି,
ଶ୍ରଦ୍ଧା ଭକ୍ତିରେ କରୁ ମିନତି
      ଆନନ୍ଦରେ ଦିନ ଯାଉ ଗୋ ବିତି ।
ତୁମ ପାଦପଦ୍ମ ଆଙ୍କି ଯତନେ 
           ସଜାଇ ଖଟୁଲି ରହିଛୁ ଧ୍ୟାନେ,
ନୟନ ଆଗେ ରଖି ତୁମକୁ
           ପୂଜା କରୁ ଅଛୁଁ ତୁମ ମୂର୍ତ୍ତିକୁ ।
ଆସ ମହାଲକ୍ଷ୍ମୀ’ ଆମ ଘରକୁ’…
ଜୀବନ ଅନ୍ଧାରେ ତୁମେ ଆଲୋକ
         ତୁମ କୃପାବଳେ ଘୁଞ୍ଚଇ ଶୋକ,
ହୁଅ ମା’ ସାହା କରି ସୁଦୟା
         ମନରେ ନରହୁ ମିଛର ମାୟା।
ଶକ୍ତି ମୁକ୍ତି ସବୁ ତୁମରି ଦାନ
     ଭକ୍ତି ଘେନି ମାତା ରଖ ଗୋ ମାନ,
ପୋଛି ଦିଅ ଏ ଆଖିର ଲୁହ
      ହୃଦୟେ ନ ରହୁ ଟିକିଏ କୋହ ।
ଜଗତ ଜନନୀ ଶୁଣ ଗୁହାରି
        ଭବ ସାଗରରୁ କର ଗୋ ପାରି,
ମଝିରେ ପଡ଼ି ଯାଉଛୁ ବୁଡ଼ି
        ଦୟା କରି ନାଆ ଦିଅ କୂଳକୁ ।
ଆସ ମହାଲକ୍ଷ୍ମୀ’ ଆମ ଘରକୁ’….

    ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।

1 thought on “ଆସ ମହାଲକ୍ଷ୍ମୀ ଆମ ଘରକୁ

  1. “ସଂସ୍କାର ଥାଏ ଆମ ରକ୍ତରେ”
    ***********************
    ସଂସ୍କାର ଥାଏ ଆମ ରକ୍ତ ଧାରାରେ
    ପିଢିରୁ ପିଢି ଆସଇ,
    ବାପାଙ୍କ ଜାତି ଗୋତ୍ର ବର୍ଣ୍ଣକୁ ନେଇ
    ସନ୍ତାନ ଜନ୍ମ ହୁଅଇ ।
    ପରିବାରରୁ ସେ ଶିଖଇ ଅନେକ
    ଭଲ ମନ୍ଦ ବ୍ୟବହାର,
    ଶିଷ୍ଟ ଆଚରଣ ଭଦ୍ର ପ୍ରଦର୍ଶନ
    କରଇ କଲେ ଆଦର ।
    ଆମ୍ବ ପୋତି ଯଦି ଖୋଜିବା ପିଜୁଳି
    ପାଇବା କି ତାହା କୁହ,
    ବାପା ପୂଣ୍ୟ କଲେ ପୁଅ ବି କରଇ
    ଏ କଥା ଅନ୍ୟଥା ନୁହଁ ।
    ଝରଣା ପାଣି ଯେ ଲାଗଇ ମଧୁର
    ସମୁଦ୍ର ପାଣି ଲୁଣିଆ,
    ଧାନରୁ ଚାଉଳ ଗହମରୁ ଅଟା
    ଜାଣଇ ସାରା ଦୁନିଆଁ ।
    ବଡଙ୍କୁ ସମ୍ମାନ ସାନଙ୍କୁ ଆଦର
    ଦିଏ ବଂଶ ପରିଚୟ,
    ସଂସ୍କାର ନେଇ ଚାଲୁଥିବା ଯଦି
    ମନରେ ନଥାଏ ଭୟ ।
    ଅନୁଶାସନ ସମାଜକୁ ଶିଖାଏ
    ଭଦ୍ର ହେବାର ଶୃଙ୍ଖଳା,
    ଆଜ୍ଞନୁକାରୀ କର୍ତ୍ତବ୍ୟନିଷ୍ଠା ଅଟେ
    ସଂସ୍କାରର ଶ୍ରେଷ୍ଠ ବଳା ।
    ଖଜୁରୀ ଗଛର କି ଗୁଣ ଗାଇବି
    ମୂଳରୁ ପାହାଚ ଥାଏ,
    ସଂସ୍କାର ରହିଲେ ସଂସ୍କାର ମିଳଇ
    ବଂଶର ରକ୍ତରେ ଥାଏ ।
    ପିଢ଼ିକୁ ପିଢ଼ି ମିଳଇ ପୁଣ୍ୟ କର୍ମ
    ଧରିଲେ ପ୍ରଭୁଙ୍କ ନାମ,
    ସଂସ୍କୃତି ଓ ସଂସ୍କାର ଭିନ୍ନ ନୁହଁଇ
    ଶିଖାଏ ନୀତି ନିୟମ ।
    ସଂସ୍କାର ଥିଲେ ଆମ ରକ୍ତ ବିନ୍ଦୁରେ
    ପାଉ ସମାଜେ ଆଦର,
    ଉଚିତ୍ ବେଳରେ ଶୁଭ ଫଳ ମିଳେ
    ଗୈାରବ ଆଣେ ବଂଶର ।
    *ଦିବାକର ସିଂ, ଦୁବଲାଗଡି, ବାଲେଶ୍ଵର*

Leave a Reply

Your email address will not be published. Required fields are marked *