ତୁମ ମନର କଥା

             ତୁମ ମନର କଥା

   ✍🏼କବିରତ୍ନ ନୂତନ କୁମାର ବେହେରା

ଠିକ୍ ବୁଝି ପାରେ ଯେବେ ମୁଁ ତୁମ ମନର କଥା
ଦୂରେଇ ଦିଅ ତୁମେ ମୋ ଅନ୍ତରର ଅସହ୍ୟ ବ୍ୟଥା
କାୟ ମନ ବାକ୍ୟରେ ପ୍ରାଞ୍ଜଳ କରି ଭାବେ
ଉଚିତ ଅନୁଚିତେ ଅନୁଭବ କରେ ମୋ ସ୍ଵଭାବେ
ବହି ଆସ ତୁମେ ଝରଣା ସମ ଭାବ ପ୍ରବଣେ
ଆଶା ସଞ୍ଚାରି ଫୁଲ ଫୁଟାଅ ମନ ମରୁ ଉଦ୍ୟାନେ
ସାରା ଦୁନିଆଁଟା ଆଖି ଆଗରେ ଦିଶେ ଅଭିନବ
ଘୁଞ୍ଚିଯାଏ ତୁମ ସାନ୍ନିଧ୍ୟରେ ମୋର ସବୁ ଅଭାବ
ଚୁମିଯାଏ ବହି ଆସି ପ୍ରୀତିର ମଧୁ ମଳୟ
ପ୍ରେମର ପ୍ଳାବନେ ପାବନ ହୋଇଯାଏ ହୃଦୟ
ଲାଗେ ତା’ ସୌନ୍ଦର୍ଯ୍ୟ ଭରା ଫଗୁଣର ଫୁଲବନ
ସାତ ରଙ୍ଗରେ ରଙ୍ଗୀନ ହୋଇଯାଏ ଜୀବନ
ବିଚ୍ଛୁରିତ ମହକେ ମୋ ପ୍ରାଣ ଆନନ୍ଦେ ପୁଲକେ
ଭାଗ୍ୟ ଆକାଶରେ ଉଇଁ ଆସେ ଇନ୍ଦ୍ରଧନୁ
ହୃଦୟଙ୍ଗମ କରେ ମୋ ଜୀବନଟା ତୁଚ୍ଛ ତୁମ ବିନୁ 
ମୋ ଭାବ ଭାବନାରେ କେବଳ ତୁମକୁ ଦେଖେ
ଆଶା ସ୍ବପ୍ନ ସବୁ ମୋର ତୁମ ପାଇଁ ସଞ୍ଚି ରଖେ
ତୁମ ମନର କଥା ଯେବେ ମୁଁ ପାରେନା ବୁଝି
ରୁଷି ବସ ତୁମେ ମଉନେ ମାନ ଅଭିମାନରେ ଭିଜି 
ମୋ ସ୍ଥିତି ସ୍ଥାୟିତ୍ଵର ଠିକ୍ ଠିକଣା ଯାଏ ହଜି
ନୈରାଶ୍ୟର ନିଦାଘରେ ଖରା ଝାଞ୍ଜି ଦିଏ ଭାଜି
ଗତାନୁଗତିକ ଚଲା ପଥ ପାଏ ନାହିଁ ମୁଁ ଖୋଜି
ମୋ କଳ୍ପନାର କଳ୍ପିତ ରଙ୍ଗ ମହଲ୍ ଯାଏ ଭାଙ୍ଗିରୁଜି
ଦୁର୍ବିଷହ ଜୀବନ ଯନ୍ତ୍ରଣାରେ ହୁଏ ମୁଁ ମର୍ମାହତ
ମିଛ ମାୟାର ଘନ କୁହୁଡିରେ ଦୀପ୍ତ ହୁଏନା ସତ
ସନ୍ଦେହରୁ ଅବିଶ୍ବାସ ଜନ୍ମି ହୁଏ ଦୁର୍ଦ୍ଦାନ୍ତ ଖଳନାୟକ
ଦିଏ ଦୁଃଖ କଷ୍ଟ ଆଖିରୁ ବହେ ଖାଲି ଲୋତକ
ଚାନ୍ଦ ବିନା ଯେହ୍ନେ ଚକୋର ଭୋଗେ ଦୁରବସ୍ଥା
ମୋ ଚିନ୍ତା ଚେତନା ଉପରେ ଆଉ ରହେନା ଆସ୍ଥା
ତୁମ ମନର କଥା ମୁଁ ମୋ ମନର କଥା ତୁମେ
ପରସ୍ପରର ବୁଝାମଣାରେ କରି ନେଲେ ଏକ ଅଭିନ୍ନ
ହୃଦୟରେ କାହାରି ରହେନା ବିଷାଦର କିଛି ଚିହ୍ନ
ସର୍ବଦା ମୁଁ ରହେ ଜାଗ୍ରତ ବୁଝିବାକୁ ତୁମ ମନର କଥା
ଆମ ପବିତ୍ର ସଂପର୍କ ନ ହେବ ବୋଲି ଅନ୍ୟଥା…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
          ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *