ଶୀତ ସକାଳର ଉଷୁମ ଖରା
ଶୀତ ସକାଳର ଉଷୁମ ଖରା
🔹କବିରତ୍ନ ନୂତନ କୁମାର ବେହେରା
ଶୀତ ସକାଳର ଉଷୁମ ଖରା
ବିଛାଡ଼ି ହୋଇ ପଡ଼ିଲେ ହସଇ ଧରା
ଯେଉଁ ଖରା ତେଜେ ବହୁଥିଲା ଝାଳ ଦେହସାରା
ସେ ଖରା ଏବେ ଲାଗୁଛି ଭାରି ନିଆରା
ଥିଲେ ବି ଯେତେ ଗରମ ପୋଷାକ କମ୍ଵଳ
ଶୀତର ପ୍ରକୋପେ କଷ୍ଟ ଅନୁଭବ ହୁଏ ଅନେକ
ହନ୍ତସନ୍ତ କରୁଥାଏ ରାତି ଯାକ
ଘନ ଘନ ନିଦ ଭାଙ୍ଗି ଖେଳାଏ ଆତଙ୍କ
ଗରିବ ଗୁରୁବା ପିଲା ବୟସ୍କ ହୁଅନ୍ତି ଦୀନସ୍ତା
ଜଟିଳ ହୋଇ ପଡ଼େ ଏମାନଙ୍କ ଅବସ୍ଥା
ଶୀତରୁ ରକ୍ଷା ପାଇବାର ମିଳେନା ସହଜ ରାସ୍ତା
କରିବାକୁ ହୁଏ ସ୍ଵତନ୍ତ୍ର ଭାବେ ବ୍ୟବସ୍ଥା
ଶୀତ ସକାଳର ଉଷୁମ ଖରା
ଦେହରେ ପଡ଼ି ବନ୍ଦ ହୁଏ ଛାତି ଥରା
ଭାରି ଆରାମ ଲାଗେ କଷ୍ଟରେ ହୁଏ ସାହାରା
ହଜିଲା ଧନ ପାଇଲା ପରି ହୁଏ ବିଚରା
ଜୀବନର ଦୁଃଖ କଷ୍ଟ ପରି ଖରା ଓ ଶୀତ
ଋତୁ ନେଇ କେବେ ଦିଏ ସୁଖ କେବେ ଆଘାତ
ପ୍ରକୃତିର ନିୟମେ ସୃଷ୍ଟି ହୁଏ ସଞ୍ଚାରିତ
ଜୀଇଁ ରହିବାକୁ ମଣିଷ କରୁଥାଏ ମେହେନତ
ବୁଝାଇ ଦିଏ ଶୀତ ସକାଳର ଉଷୁମ ଖରା
କୌଣସି ପରିସ୍ଥିତିରେ ହୁଅନା କେବେ ଧୈର୍ଯ୍ୟହରା
ଆନନ୍ଦ ବିଷାଦରେ ଚାଲେ ଜୀବନଧାରା
ଲକ୍ଷ୍ୟ ଠିକେ ରଖି ସ୍ବପ୍ନକୁ କର ପୂରା
ଅନୁକୂଳ ପ୍ରତିକୂଳର ସୁଏ ଚାଲେ ଜୀବନ ନାଆ
କେବେ ଝାଞ୍ଜି କେବେ ଶୀତଳ ବହେ ବାଆ
ଜୀବ ଜଗତକୁ ପାଳୁଛି ପ୍ରକୃତି ମାଆ
ପ୍ରତି ମୁହୂର୍ତ୍ତରେ କୋଳେଇ ନେଇ ହୁଏ ସାହା
ଶୀତ ସକାଳର ଉଷୁମ ଖରା
ଆଣେ ଖୁସି ଦୂରାଇ ଦିଏ ରାତିର କଷ୍ଟ ପରା
ଆଶା ଆକାଂକ୍ଷା ଭରିଦିଏ ଜଗତ ସାରା
ଜୀବନ ବାଟରେ ହୁଅ ନାହିଁ ବାଟହରା …!
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
