କୋଣାର୍କ ଉତ୍ସବ
କୋଣାର୍କ ଉତ୍ସବ” – ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ମହାକୁମ୍ଭ # ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ କଳାର ମହାକୁମ୍ଭ ଭାବେ କୋଣାର୍କ ଉତ୍ସବ ତଥା କୋଣାର୍କ ନୃତ୍ୟ ମହୋତ୍ସବ ପ୍ରତିବର୍ଷ ଡିସେମ୍ବର ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଥିବା ସୂର୍ଯ୍ୟ ମନ୍ଦିରର ପାଦ ଦେଶରେ ତଥା ପୃଷ୍ଠଭୂମିରେ ଅନୁଷ୍ଠିତ ହୋଇଥାଏ । ଏହା ଓଡ଼ିଶାରେ ଆୟୋଜିତ ସବୁଠାରୁ ବଡ଼ ନୃତ୍ୟ ମହୋତ୍ସବ ମଧ୍ୟରୁ ଅନ୍ୟତମ ହୋଇଥିବା ବେଳେ ସାରା ଭାରତରେ ଖ୍ୟାତି ଅର୍ଜନ କରିଛି । ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ଉତ୍ସବର ଆୟୋଜନ କରାଯାଇଥାଏ। ଏହି ଉତ୍ସବ ୧୯୮୯ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି । ୧୮୯୬ ମସିହାରେ ନୃତ୍ୟ ଉତ୍ସବ ପାଇଁ ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ସରଞ୍ଚନା କରାଯାଇଥିଲା। ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମାନଙ୍କ ନିମନ୍ତେ ଏକ ବଡ ମଞ୍ଚ ପରିକଳ୍ପନା ସହ ପ୍ରଚାର ପ୍ରସାର ପାଇଁ ଏହା ଶୁଭାରମ୍ଭ କରାଯାଇଥିଲା। କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦ ଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସ୍ତୁତ କରାଯାଇ ଏହାକୁ ୧୯୮୯ ମସିହା ଫେବୃଆରୀ ମାସରେ ତିନି ଦିନିଆ କାର୍ଯ୍ୟକ୍ରମ ଭାବେ ପ୍ରଥମ ଦୁଇ ବର୍ଷ ପ୍ରସ୍ତୁତ କରାଯାଇଥିଲା। ବିଶେଷକରି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆକୃଷ୍ଟ କରିବାକୁ ଏହି ଜାତୀୟ ସ୍ତରୀର କଳାକାର ମାନଙ୍କୁ ସୁଜୋଗ ଦିଆଗଲା। ବର୍ତମାନ କୋଣାର୍କ ଉତ୍ସବ ଭାରତର ଏକ ଅଗ୍ରଣୀ ନୃତ୍ୟ ଉତ୍ସବ ଭାବେ ଗଣନା କରାଯାଉଛି। ପ୍ରଥମ ଦୁଇ ବର୍ଷ ତିନି ଦିନ ପାଳନ କରାଯାଇଥିବା ବେଳେ ଲୋକପ୍ରିୟତା ଦୃଷ୍ଟିରୁ ପରବର୍ତ୍ତୀ ଦୁଇ ୧୯୯୧ ଓ ୧୯୯୨ ମସିହାରେ ଏହାକୁ ୭ଦିନିଆ ଉତ୍ସବ ଭାବେ ପାଳନ କରାଯାଇଥିଲା। ୧୯୯୧ ମସିହାରୁ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାକୁ ଆୟୋଜନ କରାଯାଉଛି। ଶାସ୍ତ୍ରୀୟ ନୃତ୍ୟ ଯଥା ଓଡ଼ିଶୀ, ଭାରତନାଟ୍ୟମ୍, କୁଚୁପୁଡ଼ି, ମୋହିନୀଆଟମ, ସତ୍ରୀୟ, କଥକ, ମଣିପୁରୀ, ଛଉ ଆଦି ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ରେ ମୁକ୍ତାକାଶ ରଙ୍ଗମଞ୍ଚ ନାଚିଉଠେ। ୧୯୯୩ ମସିହାରୁ ଆଜି ପର୍ୟ୍ୟନ୍ତ ୫ଦିନିଆ ଉତ୍ସବ ଅନୁଷ୍ଠିତ ହୁଏ। କେବଳ ୧୯୯୯ ମସିହାରେ ପ୍ରଳୟଙ୍କରୀ ମହାବାତ୍ୟା ଯୋଗୁଁ ଉତ୍ସବ ବନ୍ଦ ରହିଥିଲା।

ଓଡିଶା ସମେତ ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ମାନଙ୍କ ପାଇଁ ଏହା ନୃତ୍ୟର ଭୂସ୍ବର୍ଗ ଭାବେ ପରିଚିତ କରାଇଥାଏ। ଏଥି ସହିତ କିଛି ବର୍ଷ ଇଣ୍ଡୋନେସିଆ ବାଲି ନୃତ୍ୟ ପ୍ରଦର୍ଶନ ହୋଇଥିବା ବେଳେ ମାଲେସିଆ କଳାକାର ମାନେ ମଧ୍ୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହା ଏହି ଉତ୍ସବକୁ ଆନ୍ତର୍ଜାତିକ ମାନ୍ୟତା ପାଇ ପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ରୁ ସୂର୍ଯ୍ୟ ମନ୍ଦିର ଦୃଶ୍ୟମାନ ହେଉଥିବା ମଞ୍ଚରୁ ନୃତ୍ୟ ପରିବେଷଣ କରିବା ଓ ନୃତ୍ୟ ଉପଭୋଗ କରିବା ସତେ ଯେପରି ଇନ୍ଦ୍ର ଭବନରେ ରମ୍ଭା, ମେନକା ଓ ଅପସରୀଙ୍କ ନୃତ୍ୟ ଦେଖୁଥିବା ଅନୁଭବ କରିହୁଏ। ପର୍ଯଟନ ନିଗମ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚ ଓ ଯାତ୍ରୀ ନିବାସ ପରିସର ସୁନ୍ଦର୍ ଭାବେ ରଙ୍ଗ ଓ ଆଲୋକରେ ସୁସଜ୍ଜିତ କରାଯାଇଥାଏ। ଯାହା ଅତ୍ୟନ୍ତ ମନଲୋଭା ଓ ଆକର୍ଷଣୀୟ ପାଲଟି ଥାଏ। ଏହି ମଞ୍ଚରେ ନୃତ୍ୟ ପରିବେଷଣ କରି ନୃତ୍ୟଶିଳ୍ପୀ ମାନେ ନିଜକୁ ଧନ୍ୟ ଓ ଗର୍ବିତ ଅନୁଭବ କରନ୍ତି। ଏହି ଉତ୍ସବ ଆରମ୍ଭରୁ ଏହାକୁ ଆକର୍ଷଣ କରିବା ଓ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶାର ପାରମ୍ପରିକ ହସ୍ତକଳା, ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଥାଏ।

କେବଳ ନୃତ୍ୟ ସଂଗୀତ ନୁହେଁ। ଓଡିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ବ୍ୟବସାୟୀ ମାନେ ଏଠାକୁ ଆସି ସେମାନଙ୍କ ହସ୍ତଶିଳ୍ପ ପ୍ରଦର୍ଶନ କରିଥାନ୍ତି। ପ୍ରତିଟି କଳାର ପ୍ରଚାର ଓ ପ୍ରସାର ହୋଇଥାଏ ଏହି ଉତ୍ସବ ମାଧ୍ୟମରେ।ଏହି ଉତ୍ସବ ସହିତ ଚନ୍ଦ୍ରଭାଗା ବେଳାଭୂମି ରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଯେଉଁଠି ଦେଶ ବିଦେଶର ବାଲୁକା ଶିଳ୍ପୀ ମାନେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନୀ କରନ୍ତି। ଖୋଲା ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।ଏଠାରେ ପର୍ଯ୍ୟଟକଙ୍କ ପାଇଁ ଫୁଡ୍ କୋର୍ଟ ବ୍ୟବସ୍ଥା କରାଯାଇ ଆକର୍ଷଣୀୟ ଖାଦ୍ୟ ମଧ୍ୟ ବିକ୍ରୟ କରାଯାଏ।ମୁଖ୍ୟ ଉତ୍ସବ ବ୍ୟତୀତ ଏଠାରେ ମୀନାବଜାର, ପଲ୍ଲିଶ୍ରୀ ମେଳା, ଅପେରା ପାର୍ଟି ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଗଣଦୌଡ଼, ମିନି ସାଇକ୍ଲୋଥନ, ବେଳାଭୁମି ପଦଯାତ୍ରା, ସାହିତ୍ୟ ଆସର, ଆଲୋଚନାଚକ୍ର, ପୁସ୍ତକ ମେଳା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥାଏ। ବ୍ୟବସାୟୀ ମାନେ ଏହି ଉତ୍ସବ ନିମନ୍ତେ ବ୍ୟବସାୟ କରିବାକୁ ଉତ୍ସାହିତ ଥାଆନ୍ତି। ଏହି ଉତ୍ସବ ଦେଖିବାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିଥାନ୍ତି। ଯାହା ଦେଶର ଅନ୍ୟତମ ଶ୍ରେଷ୍ଠ ଉତ୍ସବ ଭାବେ ମାନ୍ୟତା ପାଇଛି।ଜମରା, କୋଣାର୍କ, ପୁରୀ।
