ଧର୍ମଶାଳାଷ୍ଟାଡିଅମ ଠାରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ!

ଧର୍ମଶାଳା — ସ୍ଥାନୀୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ଷ୍ଟାଡିୟମ୍ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡ଼ା. ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି, “ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ଓ ପ୍ରସାର ନିମନ୍ତେ ଏହା ଏକ ଅଭିନବ ପ୍ରୟାସ। କ୍ରୀଡା ଓ କ୍ରୀଡାବିତମାନଙ୍କ ଉନ୍ନତିରେ ହିଁ ଏକ ସକ୍ରିୟ ସମାଜ ଗଠନ ହେଇପାରିବ।” କ୍ରୀଡା ଆମକୁ ଶୃଙ୍ଖଳିତ ଜୀବନ ଅତିବାହିତ କରିବା ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ସାଂସଦ ଶ୍ରୀ ବେହେରା କହିଥିଲେ। ଆଜି ଧର୍ମଶାଳା ଷ୍ଟାଡିଅମରେ ସାଂସଦ, ବିଧାୟକ ଏବଂ ଜିଲ୍ଲାର ପଦାଧିକାରୀଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚିତ ହୋଇଛି I ଧର୍ମଶାଳା ଷ୍ଟାଡିଅମରେ କ୍ରିକେଟ, ସୁକିନ୍ଦାରେ ଖୋଖୋ, ଯାଜପୁରରେ ହକି, ଫୁଟବଲ ଓ ଆଥେଲେଟିକ, ଖଣ୍ଡିତରରେ କବାଡି କବାଡି ମ୍ୟାଚ ଅନୁଷ୍ଠିତ ହେବ I ଅନଲାଇନରେ ଗ୍ରାମାଞ୍ଚଳର ଖେଳାଳିମାନେ ନିଜର ନାମ ପଞ୍ଜିକରଣ କରିଛନ୍ତି I ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରା ଭାରତର ବିଭିନ୍ନ ସ୍ଥାନରେ ସାଂସଦ ଖେଳ ମହୋତ୍ସବ ଅନୁଷ୍ଠିତ ହେଉଛି I ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଧାୟକ, ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ କହିଛନ୍ତି, “ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ଏହା ଏକ ବଳିଷ୍ଠ ପ୍ରୟାସ। ସୁସ୍ଥ ଯୁବ ସମାଜ ଦେଶ ବିକାଶରେ ସହାୟକ ହେବ। ଆଜିର ଯୁବପିଢି ଏବଂ କ୍ରୀଡାବିତମାନେ ଆଗାମୀ ଦିନରେ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ।” ଆଜିଠାରୁ ଆରମ୍ଭ ହୋଇଥିବା ଏହି ଖେଳ ମହୋତ୍ସବ ଯାଜପୁର ସଂସଦୀୟ କ୍ଷେତ୍ରରେ ଆୟୋଜିତ ହେବ ଓ ଖେଳାଳୀମାନେ ଅଂଶ ଗ୍ରହଣ କରିବେ। ୬ ଟି ବିଭାଗ ଯଥା ଆଥଲେଟିକ୍ସ, କବାଡି, ଭଲିବଲ୍, ଫୁଟବଲ, ଖୋଖୋ ଓ କ୍ରିକେଟ ସମସ୍ତ ବ୍ଲକ୍ ସ୍ତରରେ ଓ ଶେଷରେ ଜିଲ୍ଲା ସ୍ତରରେ ଆୟୋଜିତ ହେବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ଅଧ୍ୟକ୍ଷତା କରି ଉପସ୍ଥିତ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ସଭାପତି ଶ୍ରୀମତୀ ଦେବଜାନୀ ପ୍ରଧାନ, ବବିତା ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଫକୀର ମୋହନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଧର୍ମଶାଳା ଶ୍ରୀ ହିମାଂଶୁ ଶେଖର ସାହୁ ଧର୍ମଶାଳାରେ  ଚାଲିଥିବା ପାରାକ୍ରିକେଟ୍ ମ୍ୟାଚରେ ଯୋଗଦେଇ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *