ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅନ୍ତର୍ଗତ ନିର୍ମାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା ବୈଠକ
ଭୁବନେଶ୍ୱର, ତା-୧.୧୨.୨୦୨୫ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ନିର୍ମାଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଗତ ୨୯ ତାରିଖ ଶନିବାର ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନ୍ସନ୍ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍-୨ ରେ ମୁଖ୍ୟମନ୍ତ୍ରୀଙ୍କ ନୂତନ ଅଭିଯୋଗ ପ୍ରକୋଷ୍ଠ ନିର୍ମାଣ, ୟୁନିଟ-୮ ଏବଂ ନୀଳକଣ୍ଠନଗରରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଆବାସିକ ପ୍ରକଳ୍ପ ଏବଂ ୟୁନିଟ୍-୨ ରେ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ୟୁନିଟ-୮ ସ୍ଥିତ ଆବାସିକ ପ୍ରକଳ୍ପର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଆବାସିକ ପ୍ରକଳ୍ପଗୁଡ଼ିକ ତୁରନ୍ତ ଶେଷ କରି ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରକଳ୍ପ ଦାୟିତ୍ୱ ନେଇଥିବା ଓଡ଼ିଶା ସେତୁ ନିଗମକୁ ପରାମର୍ଶ ଦିଆଯାଇଛି । ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଯନ୍ତ୍ରୀ, କୋଠାବାଡ଼ିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନର ଉଦ୍ୟାନ ଓ କ୍ୟାପିଟାଲ ନର୍ସରୀର ଉନ୍ନତି ନିମନ୍ତେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ଉପସ୍ଥିତ ଅଧିକ୍ଷଣ ଯନ୍ତ୍ରୀ, ଡିଭିଜନ୍-୧ ଙ୍କୁ ପରାମର୍ଶ ଦିଆଯିବା ସହ ଲୋକସେବା ଭବନ ପରିସରରେ ସ୍ତୁପୀକୃତ ବୈଦ୍ୟୁତିକ ବର୍ଜ୍ୟ ନିଲାମ ମାଧ୍ୟମରେ ଅପସାରଣ କରାଯାଇ ପରିବେଶକୁ ବର୍ଜ୍ୟମୁକ୍ତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଇଷ୍ଟେଟ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟି, ଆଇ.ଏ.ଏସ୍ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁକାନ୍ତ କୁମାର ବେହେରା, ଅର୍ଥ ପରାମର୍ଶଦାତା ପୁଷ୍ପଲତା ସାମଲ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କୋଠାବାଡ଼ି, ସେତୁ ନିଗମର ଅଧିକାରୀ, ଓ୍ୱାଟକୋ ମହାପ୍ରବନ୍ଧକ, ବିଭାଗୀୟ ଅନୁ ଶାସନ ସଚିବ ଓ ଉପବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
