କର୍କଟ ପୀଡିତ ବାବୁଲି ଗୋଛୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ
ଏରସମା;ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଗ୍ରାମର କର୍କଟ ପୀଡିତ ବାବୁଲି ଗୋଚ୍ଛାୟତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ | ସୂଚନା ଯୋଗ୍ୟ କି, ବାବୁଲି ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେ କର୍କଟ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ନିଜର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ସଂଯୋଜକ କୁନେଶ ବାରିକ, ବରିଷ୍ଠ ସଦସ୍ୟ ଜୀବନଜ୍ୟୋତି ଜୟସିଂ ଏବଂ ସତ୍ୟବ୍ରତ ଦାସ ପ୍ରମୂଖ ବାବୁଲିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସେ ଏବଂ ତାଙ୍କ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
