ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

ବ୍ରହ୍ମପୁର, ତା.୬.୧୨.୨୦୨୫ରିଖ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ଭାରତରତ୍ନ ଡ଼.ଭୀମ ରାଓ ଆମ୍ବେଦକରଙ୍କ ୬୯ତମ ମହାପ୍ରୟାଣ ଦିବସ ଯଥା ମର୍ଯ୍ୟାଦାର ସହ ସ୍ଥାନୀୟ ଇଂଜିନିୟରିଙ୍ଗ ସ୍କୁଲ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲା ପରେ ଆୟୋଜିତ ସଭାରେ କହିଥିଲେ ଯେ,ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରମୁଖ ସ୍ରଷ୍ଟା ହୋଇଥିବା ସହିତ ସମାଜିକ ନ୍ୟାୟ, ସମତା ଓ ମାନବାଧିକାର ପାଇଁ ଜୀବନବ୍ୟାପୀ ସଂଘର୍ଷ କରିଥିଲେ। ଅସମାନତା,ଅସ୍ପୃଶ୍ୟତା ଓ ଶୋଷଣ ବିରୁଦ୍ଧରେ ତାଙ୍କ ଆନ୍ଦୋଳନ ଭାରତର ସାମାଜିକ ପରିବର୍ତ୍ତନର ଏକ ଐତିହାସିକ ପର୍ଯ୍ୟାୟ l ତାଙ୍କର ଚିନ୍ତାଧାରା — “ଶିକ୍ଷା ପାଆନ୍ତୁ, ସଂଗଠିତ ହୁଅନ୍ତୁ, ସଂଘର୍ଷ କରନ୍ତୁ” — ଆଜି ମଧ୍ୟ ସମାଜକୁ ନ୍ୟାୟ ଓ ଗଣତନ୍ତ୍ରର ପଥରେ ଆଗେଇ ନେବାରେ ପ୍ରେରଣା ଯୋଗାଉଛି l ସମସ୍ତେ ନିଜ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆମ୍ବେଦକରଙ୍କ ସ୍ୱପ୍ନ ଥିଲା ଏକ ଏମିତି ଭାରତ ଯେଉଁଠାରେ ପ୍ରତ୍ୟେକ ଲୋକ ସମାନ ଅଧିକାରରେ ବଞ୍ଚିବେ। ଆଜି ଆମ୍ଭେ ସେହି ସାଂବିଧାନିକ ମୂଲ୍ୟଗୁଡ଼ିକୁ ସୁରକ୍ଷିତ ରଖିବାର ପ୍ରତିଶ୍ରୁତିକୁ ପାଳନ କରିବା ଆବଶ୍ୟକ l

ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମରେ ସମସ୍ତେ ଆମ୍ବେଦକରଙ୍କ ସମାନତାମୂଳକ ସମାଜ ଗଠନର ସ୍ୱପ୍ନକୁ ପୂରଣ କରିବାର ଶପଥ ନେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚ ର ଉପସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ଅଲ୍ ଇଣ୍ଡିଆ ଖେତ ମଜଦୂର କିସାନ ସଭାର ଜିଲ୍ଲା ସଭାପତି ଅବନୀ ଗୟା, ବିକାଶ ଅନୁଷ୍ଠାନର ଗୋକୁଲ୍ ବେହେରା, ନଳିନୀ କୁମାର ବେହେରା, ଗୁଣନିଧି ବେହେରା, ସସ୍ମିତା ବେହେରା,ଆମ୍ ଆଦମୀ ପାର୍ଟି ର ଆଦିତ୍ୟ ରଥ, ଶିକ୍ଷକ ସଙ୍ଗଠନ ନେତା ଶ୍ୟାମ ସୁନ୍ଦର ଖାଡଙ୍ଗା,ଯୁବ ନେତା କାହ୍ନୁ ଚରଣ ପାତ୍ର, ଗୌରୀ ଶଙ୍କର ମହାନ୍ତି,ଆମ୍ବେଦକର ବିକାଶ ମଂଚ ର ସଭାପତି ଭାସ୍କର ହାତୀ, ଉପସଭାପତି ଅଶୋକ ନିମାଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *