ପ୍ୟାରୀମୋହନ ଆଚାର୍ଯ୍ୟଙ୍କ “ଓଡ଼ିଶାର ଇତିହାସ” ଉନ୍ମୋଚିତ
ଭୁବନେଶ୍ୱର, ୧୦/୧୨-ସପ୍ତମ ରାଜ୍ୟ ପୁସ୍ତକମେଳା ଅବସରରେ ସ୍ବର୍ଗତଃ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମୀକ୍ଷକ ଭାସ୍କର ପରିଚ୍ଛାଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ଦୁର୍ମୁଲ୍ୟ ପୁସ୍ତକଟି ଓଡ଼ିଶାର ଅଗଣିତ ଇତିହାସପ୍ରେମୀଙ୍କ ପାଇଁ ଏକ ମୂଲ୍ୟବାନ ଗ୍ରନ୍ଥ ଭାବରେ ଆଗାମୀ ଦିନରେ ବେଶ୍ ପରିଗଣିତ ହେବ ବୋଲି ଉପସ୍ଥିତ ବକ୍ତା ମାନେ କହିଥିଲେ। ଏହି ଅବସରରେ ବୈଜ୍ଞାନିକ ଡକ୍ଟର ଚିତ୍ତରଂଜନ ମିଶ୍ରଙ୍କ ଜ୍ଞାନବିଜ୍ଞାନର ନଵଦିଗନ୍ତ, ଡକ୍ଟର ଶକୁନ୍ତଳା ବଳିଆରସିଂଙ୍କ ଉପନ୍ୟାସ ଷୋଢଶୀର ଇଂରାଜୀ ଅନୁବାଦ ପୁସ୍ତକ ରେବା ପଟ୍ଟନାୟକଙ୍କ ଦ୍ବାରା ଦେବୀ, ଅଧ୍ୟାପକ ଗଦାଧର ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ, ଅନସୂୟା ମହାପାତ୍ରଙ୍କପ୍ରବନ୍ଧ ସଂକଳନ ଦିଗନ୍ତ ରେଖା, ସ୍ନେହଲତା ନାୟକଙ୍କ କବିତା ସଂକଳନ ଅନୁଚ୍ଚାରିତ ସ୍ବପ୍ନ ଏବଂ ଡକ୍ଟର ଅଲେଖ ପ୍ରସାଦ ମହାରଣାଙ୍କ ଟୁଇଲାଇଟ୍ ଅଫ୍ ଟାଇମ୍ ଉନ୍ମୋଚିତ ହୋଇଯାଇଛି। ପୁସ୍ତକର ବିକଳ୍ପ ନାହିଁ, ସର୍ବଦା ଏହା ଆଗାମୀ ପିଢି ପାଇଁ ଅମୂଲ୍ୟ ସମ୍ପଦ ହୋଇ ରହିବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପୂର୍ବୀ ପ୍ରକାଶନୀର ମୂଖ୍ୟ ପରାମର୍ଶଦାତା ଅଧ୍ୟାପକ ବିରଞ୍ଚି ନାରାୟଣ ଦାସ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ।
