ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ରାଜ୍ୟସ୍ତରୀୟ ତ୍ରିଦିବସୀୟ ସମୀକ୍ଷା

ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ରାଜ୍ୟସ୍ତରୀୟ ତ୍ରିଦିବସୀୟ ସମୀକ୍ଷା
ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ନେଇ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ
ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ନହେଲେ କାର୍ଯ୍ୟକାରୀ କରୁଥିବା ସଂସ୍ଥା ହେବେ କଳା ତାଲିକାଭୁକ୍ତ ଓ ଦାୟର କରାଯିବ FIR

ଭୁବନେଶ୍ବର, ୧୨-୧୨-୨୦୨୫
ଭୁବନେଶ୍ବରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର MGNREGA ସମ୍ମିଳନୀ କକ୍ଷରେ ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ରାଜ୍ୟସ୍ତରୀୟ ତ୍ରିଦିବସୀୟ ସମୀକ୍ଷା ଅନୁଷ୍ଠିତ ହୋଇଛି l ଡିସେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୨ ତାରିଖ ଯାଏଁ ତିନି ରାଜସ୍ବ ଡିଭିଜନ ଅନ୍ତର୍ଗତ ସମସ୍ତ ୩୫ଟି ପାନୀୟ ଜଳ ଡିଭିଜନର ବୃହତ୍ ଗ୍ରାମୀଣ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ କଠୋର ଆଭିମୁଖ୍ୟ ଗ୍ରହଣ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ନହେଲେ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ସହ ତାଙ୍କ ବିରୋଧରେ FIR ଦାୟର କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଏହି ସମୀକ୍ଷା ବୈଠକର ପ୍ରଥମ ଦିନରେ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୧୨ଟି ପାନୀୟ ଜଳ ଡିଭିଜନ ଯଥା : ଆଠଗଡ଼, ବାଲେଶ୍ବର, ବାରିପଦା, ଭଦ୍ରକ, ଭୁବନେଶ୍ବର, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀ ଓ ରାଇରଙ୍ଗପୁରର ୬୮ ଗୋଟି ବୃହତ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୮ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୬୦ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l ଦ୍ବିତୀୟ ଦିନରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୧୪ଟି ପାନୀୟ ଜଳ ଡିଭିଜନ ଯଥା : ଆନନ୍ଦପୁର, ଅନୁଗୁଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ରାଉରକେଲା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ର ୭୭ ଗୋଟି ବୃହତ ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୧୪ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୬୩ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l ତୃତୀୟ ଦିନରେ ଦକ୍ଷିଣାଞ୍ଚଳ ରାଜସ୍ବ ଡିଭିଜନ ଅନ୍ତର୍ଗତ ୯ ଟି ପାନୀୟ ଜଳ ଡିଭିଜନ ଯଥା : ଗଜପତି, ବ୍ରହ୍ମପୁର, ଭଞ୍ଜନଗର, କଳାହାଣ୍ଡି, ଫୁଲବାଣୀ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାର ୬୨ ଗୋଟି ବୃହତ ପାଇପ୍ ପାନୀୟ ଜଳଯୋଗାଣ ପ୍ରକଳ୍ପର ସବିସ୍ତୃତ ସମୀକ୍ଷା ହୋଇଥିଲା l ଏହା ମଧ୍ୟରୁ ୩ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ସେଗୁଡିକ କାର୍ଯ୍ୟକ୍ଷମ ହୋଇଥିବାବେଳେ ମାନ୍ୟବର ମନ୍ତ୍ରୀଙ୍କ ଦ୍ବାରା ଅବଶିଷ୍ଟ ୫୯ ଗୋଟି ନିର୍ମାଣଧୀନ ପ୍ରକଳ୍ପର ସବିଶେଷ ସମୀକ୍ଷା ହୋଇଥିଲା l
ଏହି ୨୦୭ ଗୋଟି ପ୍ରକଳ୍ପର ନିର୍ମାଣକାରୀ ସଂସ୍ଥା ଓ ସଙ୍କ୍ରାନ୍ତୀୟ ବିଭାଗୀୟ ଅଧିକାରୀଙ୍କ ଠାରୁ ମନ୍ତ୍ରୀ ଶ୍ରୀ ନାଏକ ପ୍ରତିଟି ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ ଅନ୍ୟ ଆନୁଷଙ୍ଗିକ ଦିଗର ତଥ୍ୟ ବିଷୟରେ ଅବଗତ ହୋଇଥିଲେ l ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଓ ଜଳଯୋଗାଣର ସ୍ଥିରୀକୃତ ଉତ୍ତରଦାୟିତ୍ଵ ଅନୁସାରେ ପ୍ରତିଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା l ମାନ୍ୟବର ମନ୍ତ୍ରୀ ସମସ୍ତ ନିର୍ମାଣକାରୀ ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରକଳ୍ପ ନିର୍ମାଣର ସ୍ଥିତି ଓ ନିର୍ଦ୍ଦିଷ୍ଟ ସ୍ଥଳରେ ବିଳମ୍ବର କାରଣ ଓ ନିରାକରଣ ବିଷୟରେ ପ୍ରଶ୍ନ କରିଥିଲେ l
ଏହି ସମୀକ୍ଷାରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରି ‘ହର୍ ଘର୍ ଜଲ୍ ’ ପ୍ରମାଣପତ୍ର ଦାଖଲ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ l ରାଜ୍ୟର ଗ୍ରାମାଞ୍ଚଳର ପ୍ରତିଟି ପରିବାରକୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବଦ୍ଧପରିକର ଅଛନ୍ତି ବୋଲି ମନ୍ତ୍ରୀ ମତ ପ୍ରକାଶ କରିଥିଲେ l ସୂଚନା ଯୋଗ୍ଯ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ବରେ ସରକାର ପାନୀୟଜଳ ଯୋଗାଣକୁ ଗ୍ରାମୀଣ ବିକାଶର ଏକ ପ୍ରମୁଖ ଉପାଦାନ ରୂପେ ଗ୍ରହଣ କରି କାର୍ଯ୍ୟ କରୁଛନ୍ତି l ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ ତୃଣମୂଳ ସ୍ତରରୁ ଉକ୍ତ ପ୍ରକ୍ରିୟାକୁ ସାକାର ରୂପ ଦେବା ସହ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଲୋକଭିମୁଖୀ ଶାସନର ଓ ଗ୍ରାମୀଣ ବିକାଶର ମୂଳସ୍ତମ୍ଭ ରୂପେ ବିବେଚନା କରୁଛନ୍ତି l
ଆଜିର ଏହି ସମୀକ୍ଷା ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ନିକଟରେ ବିଭାଗୀୟ ସଚିବ ଶ୍ରୀ ଏସ ଏନ୍ ଗିରୀଶ ଡିଭିଜନୱାରୀ ତଥ୍ୟ ରଖିଥିଲେ l ପାନୀୟଜଳ ନିର୍ଦ୍ଦେଶକ ଶ୍ରୀ ଭିନିତ ଭରଦ୍ବାଜ ପ୍ରତିଟି ପ୍ରକଳ୍ପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରତ୍ନାକର ଶିଆଳ, ପାନୀୟ ଜଳ ଡିଭିଜନର ବିଭାଗୀୟ ଅଧିକାରୀବୃନ୍ଦ, ନିର୍ମାଣକାରୀ ସଂସ୍ଥାଗୁଡ଼ିକର ପ୍ରତିନିଧିମାନେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *