ଆସ ସ୍କୁଲ୍ ଯିବା” ଅଭିଯାନ ଅନ୍ତର୍ଗତ ଶିକ୍ଷା ସଭା ଅନୁଷ୍ଠିତ ।

“ଆସ ସ୍କୁଲ୍ ଯିବା” ଅଭିଯାନ ଅନ୍ତର୍ଗତ ଶିକ୍ଷା ସଭା ଅନୁଷ୍ଠିତ ।ମୁରିବାହାଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା କ୍ଳଷ୍ଟର ଅଧିନସ୍ଥ ବଡ଼ଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୩/୧୨/୨୦୨୫ ଦିନ ଶିକ୍ଷାରୁ ବଞ୍ଚିତ ଓ ବିଦ୍ୟାଳୟ ଛାଡ଼ିଥିବା ୬ ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ପୁନଃ ବିଦ୍ୟାଳୟଭିମୁଖୀ କରିବା ଉଦ୍ଦେଶ୍ୟରେ “ଆସ ସ୍କୁଲ୍ ଯିବା” ଅଭିଯାନ ଅନ୍ତର୍ଗତ ଏକ ଶିକ୍ଷା ସଭା ସଫଳତାର ସହ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଲେବଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପଦ୍ମଲୋଚନ ତାଣ୍ଡିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନିରୁପମା ଗହିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଓ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅନିଲ କୁମାର ବେହେରା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀ ଅଲେଖ ଭୋଇ, ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସୁଧୀର କୁମାର ନାଗ, ହଳଦୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀମତୀ ଯାଜ୍ଞସେନୀ ଜେନା, ଦେଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନୀତା ହରପାଲ୍, SIOS ସଂଯୋଜକ ଶ୍ରୀ ମନୋଜ କୁମାର ସ୍ୱାଇଁ ଏବଂ ପଙ୍ଗନିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତରୁଣସିଂ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ମଞ୍ଚାସୀନ ଅତିଥିମାନେ ବିଦ୍ୟାଳୟ ଛାଡ଼ିଥିବା ଶିଶୁମାନଙ୍କୁ ପୁନଃ ମୁଖ୍ୟଧାରା ଶିକ୍ଷା ସହ ଯୋଡ଼ିବା, SIOS ଓ NIOS ମାଧ୍ୟମରେ ନାମ ଲେଖା, ସରକାରୀ ଶିକ୍ଷା ସୁବିଧା ଓ ଅଭିଭାବକଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ବଡ଼ଉଡ଼ାର ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ କୁମୁଦ ବିହାରୀ ବେଦବାକ୍ ନିଜସ୍ଵ ରଚନାରୁ “ଆସ ସ୍କୁଲ୍ ଯିବା” ଉପରେ ଆଧାରିତ ଏକ ସଚେତନତାମୂଳକ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ସୁନ୍ଦର ଭାବେ ପରିବେଷଣ କରି ସମସ୍ତଙ୍କୁ ଏକ ପ୍ରେରଣାମୂଳକ ବାର୍ତ୍ତା ଦେଇଥିଲେ। ଏହି ଶିକ୍ଷା ସଭାରେ ୧୦୦ରୁ ଉର୍ଦ୍ଧ୍ବ ମାତା ପିତା, ଅଭିଭାବକ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ। ଅଧାରୁ ପାଠ ଛାଡ଼ିଥିବା ତାଲିକାରେ ମୋଟ ୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା ବଳରେ ମୋଟ ୨୫ ଜଣ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଗଲା। କ୍ଲଷ୍ଟର ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଶେଷରେ ଶ୍ରୀ ବିନୟ କୁମାର ଅଗସ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାପତି ମହୋଦୟଙ୍କ ଆଦେଶ କ୍ରମେ ସଭା ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *