ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଖଜଣା ଉପବିଭାଗର କାର୍ଯ୍ୟ ସମୀକ୍ଷା ବୈଠକ
ଭୁବନେଶ୍ୱର ତା-୧୩.୧୨.୨୦୨୫ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଅଧୀନସ୍ଥ ଖଜଣା ଉପବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ବିଭାଗର ଇଷ୍ଟେଟ୍ସ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସମ୍ମିଳନୀ କକ୍ଷ, ଲୋକସେବା ଭବନ ଠାରେ ଗତକାଲି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ଏବଂ କଟକରେ ସରକାରୀ କ୍ୱାଟର୍ସର ସୁପରିଚାଳନା ବିଷୟରେ ବିଶଦ୍ ଆଲୋଚନା କରାଯାଇଥିଲା । ଅନଲାଇନ୍ ବାସଗୃହ ପରିଚାଳନା ପ୍ରଣାଳୀ କ୍ୱାର୍ଟର୍ସ ମ୍ୟାନେଜମେଣ୍ଟ ସିଷ୍ଟମ (କ୍ୟୁ.ଏମ୍.ଏସ୍ ୨.୦) ର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ସିଏମଜିଆଇକୁ ବିଭିନ୍ନ ପରାମର୍ଶ ଦିଆଯାଇଥିଲା । ସରକାରୀ କ୍ୱାର୍ଟର୍ସରେ ଅବସ୍ଥାନ(ଦଖଲ) ସମୟ ଏବଂ ପରିତ୍ୟାଗକୁ ବାସ୍ତବ ସମୟ ଆଧାରରେ ଅଦ୍ୟତନ କରାଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଏତଦ୍ ବ୍ୟତୀତ, ସରକାରୀ ବାସଗୃହକୁ ଭଡା ଲଗାଇବାର ଘଟଣା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ ପୂର୍ବକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଖଜଣା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଅଧିକାରୀମାନେ ଅବସର ପରେ ଅନୁମୋଦିତ ସମୟ ଅତିକ୍ରମ କରି ସରକାରୀ ବାସଗୃହରେ ଅବସ୍ଥାନ ଜାରି ରଖିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ ଉଚ୍ଛେଦ କାର୍ଯ୍ୟକ୍ରମ ନିୟମିତ ଭାବରେ ଜାରି ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା I ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ଖଜଣା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା, ଇଷ୍ଟେଟ୍ସ ଅତିରିକ୍ତ ନିର୍ଦ୍ଦେଶକ ଅଞ୍ଜନ କୁମାର ଦାସ, ଇଷ୍ଟେଟ୍ସ ଅନୁସଚିବ ନିରଞ୍ଜନ ପାଢ଼ୀ, ପୂର୍ତ୍ତ ବିଭାଗର ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ବିଭାଗୀୟ ସହକାରୀ ଯନ୍ତ୍ରୀ ଏବଂ ସେଣ୍ଟର ଫର୍ ମଡର୍ଣ୍ଣାଇଜିଂ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ୍ (ସିଏମଜିଆଇ ) ର ଅଧିକାରୀ ଏବଂ ଖଜଣା ବିଭାଗର କର୍ମଚାରୀମାନେ ଯୋଗ ଦେଇଥିଲେ ।
