ଜାତୀୟ ହସ୍ତଶିଳ୍ପ ସପ୍ତାହ ଉଦଯାପିତ
କୋଣାର୍କ – ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅର୍ବାନହାଟ ଠାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୁଲ୍ୟରେ ଗତ ଡିସେମ୍ବର ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ହସ୍ତଶିଳ୍ପ ସପ୍ତାହ ସମାରୋହ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଜାତୀୟ ହସ୍ତଶିଳ୍ପ ସପ୍ତାହ ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ।ଏହି ଉଦଯାପନୀ ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶ୍ରୀମତୀ ତାପସ କୁମାର କହିଥିଲେ ଐତିହ୍ୟ, ସ୍ଥାପତ୍ୟ ଓ ସଂସ୍କୃତିର ପୃଷ୍ଠଭୂମି ହେଉଛି କୋଣାର୍କ ।ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକ ବିପଣନ କରିବା ପାଇଁ ସ୍ବତନ୍ତ୍ର ବଜାର ସୃଷ୍ଟି କରିବା ସହ ସେମାନଙ୍କ ନିମନ୍ତେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ପାଇଁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛି ବୋଲି ମତବ୍ୟକ୍ତ କରିଥିଲେ। ଚଳିତ ବର୍ଷ ପ୍ରତି ଜିଲ୍ଲାରେ କ୍ରାଫ୍ଟ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତାବ ପ୍ରଦାନ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। କୋଣାର୍କ ଠାରେ କଳା ଓ ସ୍ଥାପତ୍ୟ ବିଦ୍ୟାଳୟ ଖୋଲିବା ସହ କାରିଗର ମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆମ ହସ୍ତଶିଳ୍ପ ଆମ ଗୌରବର ବାର୍ତ୍ତା ଛିଞ୍ଚନ କରି ଏହାକୁ

ସୁଦୂର ପ୍ରସାରୀ କରିବା ପାଇଁ ଏକ ଦୀର୍ଘ ମିଆଦି ଯୋଜନା ହାତକୁ ନିଆଯାଉଛି ବୋଲି ସଚିବ ଶ୍ରୀମତୀ ତାପସ କୁମାର ମତବ୍ୟକ୍ତ କରିଛନ୍ତି। ଏହି ଉଦଯାପନୀ ସନ୍ଧ୍ୟାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକା ମମତା ନାୟକ, ଉତ୍କଳିକାର ଉପସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ସିଡାକର ସଦସ୍ୟ ସଚିବ ସୁବ୍ରତ କୁମାର ବେହେରା ଓ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଆୟୁକ୍ତର ସହକାରୀ ନିର୍ଦ୍ଦେଶକ ଭୂବନ ଭାସ୍କର ପ୍ରମୁଖ ଯୋଗ ଦେଇଥିଲେ। ଏହି ଜାତୀୟ ହସ୍ତଶିଳ୍ପ ସପ୍ତାହ ପାଳନ ଅବସରରେ ଟେରାକୋଟା, କତା, ଶାମୁକା ଓ ଚାନ୍ଦୁଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା କାରିଗରୀ ମାନଙ୍କୁ କୋଣାର୍କ ଚକ୍ର ଓ ପ୍ରମାଣ ପତ୍ର ପ୍ରଦାନ କରି ମୁଖ୍ଯ ଅତିଥି ବିଭାଗୀୟ ସଚିବ ଗୁହା ପୁନମ ତାପସ କୁମାର ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ଖୋଲା ଯାଇଥିବା ୨୬ ଗୋଟି ଅସ୍ଥାୟୀ ଓ ୪୦ ଗୋଟି ସ୍ଥାୟୀ ଷ୍ଟଲରେ ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ୍ବ ସାମଗ୍ରୀ ବିପଣନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଦୈନିକ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
