ଧନୁ ସଂକ୍ରାନ୍ତି

             ଧନୁ ସଂକ୍ରାନ୍ତି

   🖊️କବିରତ୍ନ ନୂତନ କୁମାର ବେହେରା

ଅନବରତ ବହିଯାଏ ସମୟର ସ୍ରୋତ
ଅପେକ୍ଷା କରେନା କେବେ କାହାକୁ
ସଦା ସର୍ବଦା ଭବିଷ୍ୟତକୁ କରୁଥାଏ ସ୍ଵାଗତ
ପ୍ରତିଟି ସମାପ୍ତି ଆଉ ଏକ ଆରମ୍ଭର
ଦେଇଥାଏ ଶୁଭ ସୂଚନା କରେ ଆହ୍ଵାନ
ତାକୁ ଆଦରରେ ଅଭ୍ୟର୍ଥନା ଜଣାଏ ଜୀବନ
କ୍ରମ ବିକାଶରେ ବୁଲେ ସମୟର ଚକ୍ର
ବଦଳେ ଦିନ ବାର ମାସ ଋତୁ ଏକ ପରେ ଏକ
ପ୍ରକୃତିର ନିୟମରେ ବନ୍ଧା ପ୍ରତିଟି ମୁହୂର୍ତ୍ତ
ସେଇ କ୍ରମରେ ମାର୍ଗଶିର ମାସ ହେଲେ ଅନ୍ତ
ଆସେ ଶୀତ ଋତୁର ପୌଷ ମାସ 
ପାଞ୍ଜିର ଗଣନା ଅନୁସାରେ ହୁଏ ଶୁଭାରମ୍ଭ
ଏ ମାସର ପହିଲି ଦିନଟି ଧନୁ ସଂକ୍ରାନ୍ତି
ପର୍ବ ରୂପରେ ହୋଇଥାଏ ପାଳିତ
ଫସଲ ଅମଳ କରି କୃଷକ ଥାଏ ଆନନ୍ଦିତ
ଓଡ଼ିଆ ଚଳଣିରେ ରହିଛି ଏହାର ବିଶେଷତ୍ଵ
ହୁଏ ଉଖୁଡା ବା ମୁଆଁ ବୁଝି ତାର ମହତ୍ତ୍ଵ
ଏ ଧନୁ ସଂକ୍ରାନ୍ତି ମୁଆଁ ଠାକୁରଙ୍କ ପାଖରେ
ଲାଗେ ଭୋଗ କେତେ କାଳୁ ଅଛି ବିଧି
ଏଇ ଦିନରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କଠାରେ
ଆରମ୍ଭ ହୋଇଥାଏ ପହିଲି ଭୋଗ
ପହିଲି ଭୋଗରେ ଖେଚେଡ଼ି ବିରି ଗହମଚୂନା
ଗୁଆ ଘିଅରେ ପାଗ ହୋଇଥିବା ପିଠାଉରେ
ପିଠା ତିଆରି ହୋଇଥାଏ ଧନୁମୁଆଁ
ମାସ ଯାକ ହୁଏ ଆସିବା ଯାଏଁ ମକର ସଂକ୍ରାନ୍ତି
ମାଆ ଲକ୍ଷ୍ମୀ ସାଆନ୍ତାଣୀ ଯା’ନ୍ତି ବାପା ଘର
ଯଶୋଦା ମା’ ହାତରନ୍ଧା ଖାଆନ୍ତି ଶ୍ରୀଜଗନ୍ନାଥ
ସୁମିଷ୍ଟ ବଡ଼ ଝିଲି ଦରସୁଆ ଝିଲି ଦରସୁଆ ବଡ଼ି
କାକେରା ଲଡ଼ୁ ଗଜା ହୁଏ ଭୋଗ
ପୌଷ ମାସର ପବିତ୍ରତାକୁ ରଖି ଲକ୍ଷ୍ୟ
ଶ୍ରୀଜଗନ୍ନାଥଙ୍କର ହୋଇଥାଏ ପୁଷ୍ୟାଭିଷେକ
ଏ ସଂକ୍ରାନ୍ତିର ଅନ୍ୟ ନାମ ମହୋଦରୀ
ଓଡ଼ିଆ ଜାତି ପାଳି ପର୍ବ ରଖେ ସଂସ୍କୃତିର ଟେକ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
           କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *