ଜାନୁଆରି ୨୦୨୬ ସତ୍ର ପାଇଁ ‘ଇଗ୍ନୋ’ରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ଜାନୁଆରୀ–୨୦୨୬ ଶିକ୍ଷା ସତ୍ର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ।ବିଭିନ୍ନ କାରଣରୁ ଅଧାରୁ ପାଠଛାଡ଼ିଥିବା କିମ୍ବା ଉଚ୍ଚ ଶିକ୍ଷାର ସୁଯୋଗରୁ ବଞ୍ଚିତ ଯେକୌଣସି ବୟସର ବ୍ୟକ୍ତିଙ୍କ ପାଇଁ ଇଗ୍ନୋ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଇଗ୍ନୋର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା (ସ୍ନାତକୋତ୍ତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ସୁବିଧା ଉପଲବ୍ଧ ରହିଛି।ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ ଅନ୍ତର୍ଗତ କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ଲେଖାଉଥିବା, ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃପଞ୍ଜୀକରଣ ଦେୟରେ ୫୦ ପ୍ରତିଶତ ଛାଡ଼ କରାଯାଇଛି। ଯଦି କୌଣସି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ତେବେ ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।ଆଗ୍ରହୀ ଛାତ୍ରଛାତ୍ରୀମାନେ ଇଗ୍ନୋ ୱେବସାଇଟ www.ignou.ac.in କିମ୍ବା http://ignouadmission.samarth.edu.in ମାଧ୍ୟମରେ ଯୋଗାଯୋଗ କରିପାରିବେ। ଏହା ସହିତ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ ଇ-ମେଲ rcbhubaneswar@ignou.ac.in ଏବଂ admissionrc21@ignou.ac.in ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇପାରିବେ। ଯୋଗାଯୋଗ ପାଇଁ ଦୂରଭାଷ ନମ୍ବର ୦୬୭୪–୨୯୭୧୦୭୧ କିମ୍ବା ୦୬୭୪–୨୩୦୧୩୪୮ ମାଧ୍ୟମରେ ମଧ୍ୟ ସମ୍ପର୍କ କରିପାରିବେ। ଏ ସମ୍ପର୍କରେ ଇଗ୍ନୋ, ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *