ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ର ବାର୍ଷିକ ଉତ୍ସବ
ତା୨୧.୧୨.୨୦୨୫ରିଖ – ଏକ ଆଧ୍ୟାତ୍ମିକ ପରିବେଶରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଷୋଡଶ ସାଧାରଣ ସଭା ଓ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ହୋଟେଲ ହଲିଡେ ରିସର୍ଟ, ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଉଦ୍ଘାଟକ ଭାବରେ ପୂଜ୍ୟ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହଦେବ, ମୁଖ୍ୟ ଅତିଥୁ ଭାବରେ ପୂଜ୍ୟ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରତିଷ୍ଠାନର ମୁଖପତ୍ର ‘ଶ୍ରୀଜଗନ୍ନାଥ ଚେତନା – ୧୫’ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ଧର୍ମଶାସ୍ତ୍ରବିଭାଗାଧ୍ଯକ୍ଷ ପ୍ରଖ୍ୟାତ ବିଦ୍ୱାନ୍ ପ୍ରଫେସର ବ୍ରଜକିଶୋର ସ୍ୱାଇଁଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରତିଭା ସମ୍ମାନ, ବିଶିଷ୍ଟ ଗବେଷକ ଡକ୍ଟର ଉମେଶ ଚନ୍ଦ୍ର ଚିହ୍ନରାଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ଗବେଷକ ସମ୍ମାନ, ଓଡିଶାର ପ୍ରଥୁତଯଶା ପ୍ରବାଚକ ଶ୍ରୀଜଗନ୍ନାଥ ଚେତନାର ଅନନ୍ୟ ପ୍ରସ୍ତରକ ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ରଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ପ୍ରସ୍ଫରକ ସମ୍ମାନ, ଶ୍ରୀଜଗନ୍ନାଥ ମନ୍ଦିର, କଲମପୁର, କଳାହାଣ୍ଡି ଓ ଶ୍ରୀଜଗନ୍ନାଥ ମନ୍ଦିର, ବିଶାଖାପାଟଣା, ଆନ୍ଧ୍ରଙ୍କୁ ଜାତୀୟସ୍ତରୀୟ ଶ୍ରୀଜଗନ୍ନାଥ ଚେତନା ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥଙ୍କର ପାଞ୍ଚଜଣ ସେବକ ଓ ସେବକ ପରିବାରର ସଦସ୍ୟଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପ୍ରତିଷ୍ଠାନର ସଭାପତି ଝାଞ୍ଜପିଟା ମଠର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଦାସ ବାବାଜୀ । ଏହି କାର୍ଯ୍ୟକ୍ରମରେ ମହାସଚିବ ଡ. ନରେଶ ଚନ୍ଦ୍ର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଉଦ୍ଘାଟକ ପୂଜ୍ୟ ଗଜପତି ମହାରାଜା ନିଜ ବକ୍ତବ୍ୟରେ ପ୍ରତିଷ୍ଠାନର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଶ୍ରୀଜଗନ୍ନାଥଙ୍କର ଉଦାର ଚେତନାକୁ ସାରା ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡିକ ଆଗଭର ହୋଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ମାଧବାନନ୍ଦ ମହାରାଜ ମହାପ୍ରଭୁଙ୍କର ଅନନ୍ୟ ମହିମା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ସାରା ବିଶ୍ଵରେ କିଭଳି ଶ୍ରୀଜଗନ୍ନାଥଙ୍କ ମହିମା ପରିବ୍ୟାପ୍ତ, ସେ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଉତ୍ସବରେ ଓଡିଶା ଓ ଭାରତବର୍ଷର ବିଭିନ୍ନ ରାଜ୍ୟରେ ଥିବା ପ୍ରତିଷ୍ଠାନର ଶତାଧିକ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂସ୍ଖଳନ କରିଥିଲେ ସଚିବ ଡ. ଅସିତ ମହାନ୍ତି । ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ପୂର୍ବରୁ ଅପରାହ୍ନରେ ଷୋଡଶ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଷ୍ଠାନର ଆୟବ୍ୟୟ ଓ ବଜେଟ୍ ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା । ଶ୍ରୀ ସନ୍ତୋଷ କୁମାର ପାତ୍ର, ଶ୍ରୀ ରବିନାରାୟଣ ସାମନ୍ତରା, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅସିତ ମହାନ୍ତି, ଡା. କରୁଣାକର ପ୍ରଧାନ, ଡା. ଦେବପ୍ରସାଦ ଦାଶ, ଶ୍ରୀ ହରେକୃଷ୍ଣ ପ୍ରତିହାରୀ, ଶ୍ରୀ ପୂର୍ଣଚନ୍ଦ୍ର ଗୋଛିକାର, ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର, ଶ୍ରୀ ପୂର୍ଣଚନ୍ଦ୍ର ଦାସ, ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
