ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଗଣିଆ ବ୍ଳକରୁ ଦାବି ଜୋର ଧରିଲା

ଗଣିଆ – ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ ପାଇଁ ଦାବି ଦିନକୁ ଦିନ ବଢିବାରେ ଲାଗିଛି । ଜିଲ୍ଲାର ୮ଟି ବ୍ଳକରୁ ଏହି ସ୍ବର ତେଜିବାରେ ଲାଗିଥିବା ବେଳେ ମଙ୍ଗଳବାର ଗଣିଆରେ ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ଶ୍ରୀକାନ୍ତ କୁମାର ଖଟେଇ,ଭଜମନ ପରିଡ଼ା,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା,ଗଣିଆ ପ୍ରେସ କ୍ଳବର ସମ୍ପାଦକ ସରୋଜ କୁମାର ଦାଶ, ଶିକ୍ଷାବିତ୍ ଉଦ୍ୟନାଥ ସାହୁ, ଶିକ୍ଷକ ସୁନିଲ କୁମାର ସାହୁ, ସରୋଜ କୁମାର ସାହୁ,ବ୍ରଜ କିଶୋର ସାହୁଙ୍କ ସମେତ ବହୁ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗଣିଆ ବ୍ଳକରୁ ନୟାଗଡ ୫୦ କିଲୋମିଟର ଦୂର ହୋଇଥିବା ବେଳେ ବଡସିଲିଙ୍ଗା ପଞ୍ଚାୟତରୁ ୯୦ କିଲୋମିଟର ଦୂର ହୋଇଥିବା ବେଳେ ରଣପୁର ପାଖାପାଖି ୨୦୦ କିଲୋମିଟର ଦୂର ହେବ । ତେଣୁ ୮ଟି ବ୍ଳକର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ମେଡିକାଲ କଲେଜ ନୟାଗଡ ସଦର ମହକୁମା ଠାରେ ହେବା ନିହାତି ଆବଶ୍ୟକ ବୋଲି ଆଲୋଚନା ହୋଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ନୟାଗଡ ପାଇଁ ଅଲଗା ସ୍ଥାନ ନିରୂପଣ ନେଇ ବୈଠକରେ ପ୍ରଶ୍ନ ଉଠିଥିଲା । ପରେ ଏକ ଶୋଭାଯାତ୍ରା କରି ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ନିର୍ମାଣ ଆମର ଦାବି ସ୍ଳୋଗାନ ଦେଇ ଗଣିଆ ବଜାର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *