ଫନି କ୍ଷତିଗ୍ରସ୍ତଙ୍କୁ ସାହା ହେଲେ ସୁପ୍ରିମକୋର୍ଟ
ମହାବାତ୍ୟା ଫୋନିରେ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ ରାଶି। ଏନେଇ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଖୁସି ପ୍ରକଟ କରିଛନ୍ତି ହିତାଧିକାରୀ। 2019 ମେ ମାସ 3 ତାରିଖ। ମହାବାତ୍ୟା ଫନି ଦେଖାଇଥିଲା ତାର କରାଳ ରୂପ। ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ୍ କରିଥିବା ବେଳେ ଏହାର ପ୍ରଭାବରେ ଶ୍ରୀହୀନ ହୋଇଥିଲା ପୁରୀ ଜିଲ୍ଲା। ଫନିର ପ୍ରଭାବ କମିବା ପରେ ତତ୍କାଳୀନ ସରକାର ପ୍ରପୀଡ଼ିତ କ୍ଷତିପୂରଣଙ୍କୁ କ୍ଷତିପୂରଣ ରାଶି 95 ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ। ଦଳୀୟ ଭିତ୍ତିରେ କିଛି ଆର୍ଥିକ ସହାୟତା ପାଇଥିବା ବେଳେ ଅନେକ କ୍ଷତିଗ୍ରସ୍ତ ହିତାଧିକାରୀ ଟଙ୍କା ପାଇବାରୁ ବଞ୍ଚିତ ରହିଥିଲେ। ସମସ୍ତ କ୍ଷତିଗ୍ରସ୍ତଙ୍କୁ ଆର୍ଥିକ ସହାୟତା ରାଶି ନ ମିଳିବାରୁ ସେତେବେଳେ ଦୁର୍ନୀତିର ଗନ୍ଧ ବାରିଥିଲେ ବିରୋଧୀ। ରାଜରାସ୍ତାରେ ଆନ୍ଦୋଳନ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ 6 ବର୍ଷ ପରେ ଫନି କ୍ଷତିପୂରଣ ରାଶି ମିଳିବା ଆଶା ସଞ୍ଚାର ହୋଇଛି। ସେପଟେ ମହାବାତ୍ୟା ଫନି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରସଙ୍ଗରେ ପ୍ରଶାସନକୁ ବଡ ଛାଟ ବାଜିଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ବାତ୍ୟାରେ ପ୍ରଭାବିତ ହୋଇଥିବା ହିତାଧିକାରୀଙ୍କ ପରିବାରକୁ ଏବେ କ୍ଷତିପୂରଣ ଦେବାକୁ ବାଧ୍ୟ ହେବ ପୁରୀ ପ୍ରଶାସନ | ପୁରୀ ସଦର ବ୍ଲକ୍ କହ୍ନେଇ ବିଦ୍ୟାଧରପୁର ଗ୍ରାମର 67 ପରିବାରକୁ କ୍ଷତିପୂରଣ ରାଶି ପ୍ରଶାସନ ନ ଦେବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ କିଛିଜଣ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତ

ହିତାଧିକାରୀଙ୍କୁ 95100 ଟଙ୍କା ଲେଖାଏଁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ ନ କରିବାରୁ କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ୪ ଜଣ ପୁରୀ ତହସିଲଦାରଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରିଥିଲେ। ସେପଟେ ପୁରୀ ଜିଲ୍ଲା ପ୍ରଶାସନ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା। ମାନ୍ୟବର ସୁପ୍ରିମକୋର୍ଟ ମାମଲାର ବିଚାର କରି କ୍ଷତିଗ୍ରସ୍ତଙ୍କୁ ନିର୍ଦ୍ଧାରିତ କ୍ଷତିପୂରଣ ରାଶି ସହିତ ମୁଣ୍ଡପିଛି 10 ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପ୍ରଶାସନ ଏକଲକ୍ଷ ପାଞ୍ଚ ହଜାର ୧୦୦ ଟଙ୍କା ଲେଖାଏଁ କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିବ। ସେପଟେ ସୁପ୍ରିମକୋର୍ଟ ନିର୍ଦେଶ ଯାହା ରହିଛି, ସେହି ଅନୁଯାଇ ପ୍ରଶାସନ ପଦକ୍ଷେପ ନେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି |
