ତୀର୍ଥରାଜ ମହୋଦଧୀ ଆରତୀ ର ବାର୍ଷିକ ଉତ୍ସବ ବେଳାଭୂମିରେ ୩ ତାରିଖରେ ଅନୁଷ୍ଠିତ ହେବ

ନୂଆବର୍ଷ ଜାନୁଆରୀ ୩ ତାରିଖରେ ତୀର୍ଥରାଜ ମହୋଦଧୀ ଆରତୀର ୨୦ ତମ ବାର୍ଷିକ ମହୋତ୍ସଵ ପୁରୀ ଗୋବର୍ଦ୍ଧନ ମଠ ଆନୁକୁଲ୍ୟରେ ବେଳାଭୂମିରେ ଅନୁଷ୍ଠିତ ହେବ। ଏନେଇ ଗୋବର୍ଦ୍ଧନ ମଠ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଗାମୀ ସମୁଦ୍ର ଆରତୀ ବାର୍ଷିକ ମହୋତ୍ସବ ସହିତ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ବୈଠକରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ସମୁଦ୍ର ଭଗବାନଙ୍କ ଦିବ୍ଯ ଆରତୀ ସୁଗମ ଭାବରେ ପରିଚାଳନା କରିବାକୁ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବର୍ଷ ଭଳି ପୁରୀ ସ୍ବଗର୍ଦ୍ୱାର ସମ୍ମୁଖ ବେଳାଭୂମିରେ ପବିତ୍ର ମହୋଦଧି ଆରତୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିର ସହ ପରିଚାଳନା କରାଯିଵ। ଜିଲ୍ଲା ପ୍ରଶାସନର ସହଯୋଗରେ ଏହି କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ମଧ୍ୟ ଆୟୋଜିତ ହେଉଛି। ଏହି ପବିତ୍ର ପର୍ବର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା ଦିନ ଅପରାହ୍ନ ୪:୩୦ ରେ ଦେଶ ଏବଂ ବିଶ୍ୱର ମଙ୍ଗଳର କାମନା କରି ପାଳନ କରାଯିବ। ପୂଜ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ, ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ, ପୂଜ୍ୟ ସନ୍ଥ, ମହନ୍ତ ଏବଂ ମଠର ମୁଖ୍ୟଙ୍କ ଉପସ୍ଥିତିରେ ପାଳନ କରାଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବିଭିନ୍ନ ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହ ଅନେକ ରାଜନେତା, ସାଂସଦ ଏବଂ ବିଧାୟକଙ୍କ ମଧ୍ଯ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *