ଶରଣକୁଳ ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ ଉଦଘାଟିତ
ଓଡ଼ଗାଁ ,୨୫।୧୨/୨୫ ନୟାଗଡ଼ ଜିଲ୍ଲା ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ଶରଣକୁଳ ସ୍ପୋର୍ଟସ ଆସୋସିଏସନ୍ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଗୁରବାର ଦିନ ଓଡ଼ିଶାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗଦେଇ ଅପରାହ୍ନ ୨.୩୦ ରେ ଲଡ଼ୁବାବାଙ୍କ ଦର୍ଶନ ପରେ ଆଶୀର୍ବାଦ ନେଇ ବାବାଙ୍କ ଆଜ୍ଞା ମାଳ ଓ ମଶାଲ ଧରି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସହିତ ଶୋଭାଯାତ୍ରାରେ ବାହାରି ମଞ୍ଚରେ ସ୍ଥାପନ କରିବା ପରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନାରିକେଳ ଭାଙ୍ଗିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅନୁଷ୍ଠାନର କ୍ରୀଡ଼ା ପତାକାକୁ ଉତ୍ତୋଳନକରି ଶୁଭ ଉଦଘାଟନ କରିଥିଲେ। ଆଜିର ଖେଳରେ ଓଡିଶା ପୋଲିସ,କଟକ ୫ – ୦ ଗୋଲରେ ଜିଲ୍ଲା ଫୁଟବଲ ଆସୋସିଏସନ, ରାୟପୁରକୁ ହରାଇ ବିଜୟ ଲାଭକରିଛି। ବହୁ ସଂଖ୍ୟକ ପୁରୁଷ ଓ ମହିଳା ଦର୍ଶକଙ୍କ ଗହଣରେ ଖେଳର ପ୍ରଥମାର୍ଦ୍ଧର ୨ୟ ମିନିଟରେ ଓଡ଼ିଶା ପୋଲିସର ୫ନଂ ଖେଳାଳି ମମତା ମିଞ୍ଜଙ୍କ ଏକ ଗୋଲ ପରେ ୧୪ତମ, ୧୬ତମ ଏବଂ ୨୦ତମ ମିନିଟରେ ୧୮ନଂ ଖେଳାଳି ସତ୍ୟବତୀ ଖାଡ଼ିଆଙ୍କ ତିନୋଟି ଗୋଲରେ ଦଳ ୪-୦ରେ ଆଗୁଆ ଥିଲା। ଖେଳର ଦ୍ୱିତୀୟାର୍ଦ୍ଧରେ ରାୟପୁର ଦଳ ପ୍ରତି ଆକ୍ରମଣାତ୍ମକ ଖେଳିଥିଲେ ମଧ୍ୟ ଓଡିଶା ପୋଲିସ ଦଳ ଚମତ୍କାର ଖେଳ ଖେଳି ୧୬ତମ ମିନିଟରେ ଦଳର ୧୪ନଂ ଖେଳାଳି ମାଳତୀ ମୁଣ୍ଡାଙ୍କ ଆଉ ଏକ ଗୋଲରେ ଦଳ ୫-୦ଗୋଲରେ ବୃହତ ବିଜୟ ହାସଲ କରିଥିଲା। ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଙ୍କ ବ୍ୟତୀତ ସମ୍ମାନିତ ଅତିଥିଭାବେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ବରିଷ୍ଠ ଚାଟାର୍ଡ ଆକାଉଣ୍ଟଟାଣ୍ଟ ବିପିନ ବିହାରୀ ପାଢ଼ୀ, ଓଡଗାଁ ବ୍ଲକ ଅଧକ୍ଷ ଲୋକନାଥ ସାହୁ, କୋମଣ୍ଡ ଆଇଟିଆଇର ପ୍ରତିଷ୍ଠାତା ଶ୍ରୀନିବାସ ସୁବୁଦ୍ଧି, ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନ, ମୋହେ ଟ୍ରଷ୍ଟର ପ୍ରତିଷ୍ଠାତା ମାନସ ଦାସଙ୍କ ବ୍ୟତୀତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, କୋଷାଧକ୍ଷ ପ୍ରମୋଦ କୁମାର ପ୍ରଧାନ, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର ଯୋଗଦେଇ ପଡିଆରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ସର୍ବଶ୍ରେଷ୍ଠ ଖେଳାଳିଭାବେ ଓଡିଶା ପୋଲିସର ସତ୍ୟବତୀ ଖାଡ଼ିଆଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ପ୍ରଦାନ କରିଥଲେ। ମୁଖ୍ୟ ରେଫେରି ଭାବେ ଜାତୀୟ ରେଫେରୀ ରୀନା ତିର୍କି ଲାଇନରେ ରାଉରକେଲାର ବାଲମତି ଓରାମ ଓ ବାଲେଶ୍ୱରର ସୀତା ମାରାଣ୍ଡି ଏବଂ ୪ର୍ଥ ରେଫେରୀ ଭାବେ ଭୁବନେଶ୍ୱରର ଭାରତୀ ମହାନ୍ତି ଖେଳକୁ ପରିଚାଳନା କରିଥିଲେ। ଏଆଇଏଫଏଫ ର ମ୍ୟାଚ କମିଶନର ଦୁର୍ଗା ଚରଣ ନାୟକ ଏବଂ ଓଡିଶା ଫୁଟବଲ ଆସୋସିଏସନର ଚୟନ କର୍ତ୍ତା ଚିତ୍ରସେନ ପାତ୍ର ଯୋଗଦେଇଥିଲେ। ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର କୁନି କୁନି ପିଲାମାନେ ଖେଳାଳି ମାନଙ୍କୁ ପଡିଆରେ ମଧ୍ୟକୁ ସ୍ୱାଗତ କରିବା ସହ ସୁନ୍ଦର ଭାବେ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଦର୍ଶକ ମାନଙ୍କ ମନ ମୋହିଥିଲେ lଉଦଘୋଷକ ଭାବରେ ଡ଼ ଆଶୁତୋଷ ମିଶ୍ର ଓ ଶେଖ ଅବୁଦୁଲ ଖାଲିକ ସୁନ୍ଦର ଭାବେ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ପରିଚାଳନା କରିଥିଲେ। ଶୁକ୍ରବାରର ଖେଳ ସ୍ପୋର୍ଟ୍ସ ହଷ୍ଟେଲ, ସୁନ୍ଦରଗଡ ବନାମ ତାରିଣୀ ଫୁଟବଲ ଏକାଡ଼ମୀ, କେଉଁଝର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର ସୂଚନା ଦେଈଛନ୍ତି।
