ଆତ୍ମଜୀବନୀ
ଆତ୍ମଜୀବନୀ
🔹କବିରତ୍ନ ନୂତନ କୁମାର ବେହେରା
ଜୀବନୀ ହେଉଛି ମଣିଷ ଜୀବନର କୃତିତ୍ୱ
ଜଗତକୁ ଦିଏ ପ୍ରେରଣା ରଖି ତାର ମହତ୍ତ୍ଵ,
ଜଟିଳ ଜଞ୍ଜାଳର ଏକ ବାସ୍ତବ ସମୀକରଣ
ଜାଗ୍ରତେ ବ୍ୟକ୍ତି ବିଶେଷ କରିଥାନ୍ତି ସମ୍ପାଦନ ।
ନିଜସ୍ଵ ଜୀବନ ଚରିତ୍ର ହିଁ ଆତ୍ମଜୀବନୀ
ନୀରବେ ପଥ ଦେଖାଏ ତାର ମହତ ବାଣୀ,
ନଜରରେ ରଖି ତାର ସ୍ମୃତି ଓ ଅନୁଭୂତି
ନିର୍ଣ୍ଣୟ କରିଥାଏ ନିଜେ ଜୀବନର ଗତି ।
ଦେଶ ଜାତି ଲାଗି ହୋଇଥାଏ ଉତ୍ସର୍ଗୀକୃତ
ଦିଗଦର୍ଶନ ଦେଉଥାଏ ସମାଜକୁ ସତତ,
ଦଇବ ବିଧାନେ ଚଳି ଗଢ଼ିଥାଏ ଯେ ଜୀବନ
ଦକ୍ଷ ହୋଇ ରଚେ ତା’ ମାନବୀୟ ମାନ ।
ଖାଇ ପିଇ ବଞ୍ଚିଯିବା କିଛି ବର୍ଷର ଆୟୁଷ
ଖେଳନା ସମ ହୁଏ ସେ ଜୀବନେ ବଶ,
ଖ୍ୟାତି ଅର୍ଜନ୍ତି ଯେଉଁମାନେ କରି ସଂଗ୍ରାମ
ଖଣିର ସେମାନେ ମୂଲ୍ୟବାନ ରତ୍ନ ସମ ।
ସ୍ଵତନ୍ତ୍ର ବ୍ୟକ୍ତିତ୍ଵର ନମୁନା ଏ ଆତ୍ମଜୀବନୀ
ସମାଜର ଦର୍ପଣ ରୂପେ ଦିଏ ଚେତାବନୀ,
ସଭିଙ୍କୁ ଦେଖାଇଥାଏ ପ୍ରଗତିର ନିର୍ଦ୍ଦିଷ୍ଟ ମାର୍ଗ
ସରାଗେ ପାଳି ଉପକୃତ ହୁଅନ୍ତି ସବୁ ବର୍ଗ ।
ଆତ୍ମଜୀବନୀ ନିଜସ୍ଵ କୃତିର ବାସ୍ତବ ପ୍ରମାଣ
ଆଙ୍କିଥାନ୍ତି ମହତ ବିଜ୍ଞଜନେ କରି ନିଖୁଣ,
ଆଧାର ତାର ହୋଇଥାଏ ଜଗତ କଲ୍ୟାଣ
ଆବଶ୍ୟକ ନେଇ ମାନବବାଦେ ହୁଏ ଗ୍ରହଣ ।
ଲିଖିତ ଅବା ଅଲିଖିତ ହେଉ କା’ର ଜୀବନୀ
ଲକ୍ଷ୍ୟ ପୂର୍ଣ୍ଣ କରିବାକୁ ବଳ ଦିଏ ତା’ର ପ୍ରତିଧ୍ଵନି
ଲୁହ ଲହୁ ଢ଼ାଳି ଜୀବନର ସଂଗ୍ରାମେ ମଣିଷ
ଲେଖିଥାଏ ତା’ ଆତ୍ମଜୀବନୀର ମୁଖ୍ୟ ଅଂଶ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ।
