ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ
ସର୍ବଭାରତୀୟ ମହିଳା ଫୁଟବଲ ଟୁଣ୍ଣାର୍ମେଣ୍ଟ ଦ୍ୱିତୀୟ ସେମିଫାଇନାଲରେ ଓଡ଼ିଶା ପୋଲିସ ୪-୦ ଗୋଲରେ ବିଜୟୀ
ଓଡ଼ଗାଁ – ତା ୨୮-୧୨-୨୫ ନୟାଗଡ଼ ଜିଲ୍ଲା ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ଶରଣକୁଳ ସ୍ପୋଟସ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟ ୪ର୍ଥ ଦିନର ୨ୟ ସେମିଫାଇନାଲ ଖେଳ ଓଡିଶା ପୋଲିସ, କଟକ ୪- ୦ ଗୋଲରେ ଏମଏଫସି, କୋଲକାତା, ୱେଷ୍ଟ ବେଙ୍ଗଲକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

ରବିବାର ବହୁ ସଂଖ୍ୟାରେ ମହିଳା ପୁରୁଷ ଦର୍ଶକଙ୍କ ଗହଣରେ ଅନୁଷ୍ଠିତ ପ୍ରଥମାର୍ଦ୍ଧ ଖେଳର ୨୪ତମ ମିନିଟରେ ଓଡିଶା ପୋଲିସ ଦଳର ମାଳତୀ ମୁଣ୍ଡାଙ୍କ ସୁନ୍ଦର ପାସକୁ ୯ନଂ ଜର୍ସି ଖେଳାଳି ମନୀଷା ନାୟକ ଗୋଲରେ ପରିଣତ କରି ଦଳକୁ ୧- ୦ ଗୋଲରେ ଆଗୁଆ ରଖିଥିଲେ। ପରେ ୩୨ ତମ ମିନିଟରେ ପୁଣି ଓଡିଶା ପୋଲିସ ଦଳର ୨୦ନଂ ଖେଳାଳି ଶ୍ରୀଜନ ତମନଙ୍କ ଗୋଲରେ ଦଳ ୨- ୦ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧ ଖେଳରେ ଉଭୟ ଦଳ ଆକ୍ରମଣାତ୍ମକ ପ୍ରତିଆକ୍ରମାଣତ୍ମକ ଖେଳିଥିଲେ କିନ୍ତୁ ଖେଳର ୯ମ ମିନିଟରେ ଓଡିଶା ପୋଲିସ ଦଳର ୧୨ନଂ ଜର୍ସି ଖେଳାଳି ମାଳତୀ ମୁଣ୍ଡା ଏବଂ ୧୬ତମ ମିନିଟରେ ୯ନଂ ଖେଳାଳି ମନୀଷା ନାୟକଙ୍କ ପୁନଶ୍ଚ ଏକ ଗୋଲରେ ଦଳ ୪-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ ଓଡଗାଁ ବ୍ଲକ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣା, ବିଶିଷ୍ଟ ବ୍ୟବସାୟୀ ସୁବାଷ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ପାତ୍ର ଓ ତାପସ ରଞ୍ଜନ ପାଢ଼ୀଙ୍କ ସମେତ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଜ୍ୟୋତିର୍ମୟ ମହାନ୍ତି, ସାଧାରଣ ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ସହ ସମ୍ପାଦକ ଲିଙ୍ଗରାଜ ପାତ୍ର, କୋଷାଧକ୍ଷ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ପଡିଆ ମଧରେ ଖେଳାଳିମାନଙ୍କ ସହ ପରିଚୟ ଆଦାନ ପ୍ରଦାନ ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
ପରେ ମୁଖ୍ୟ ଅତିଥି ସର୍ବଶ୍ରେଷ୍ଠ ଖେଳାଳିଭାବେ ଓଡିଶା ପୋଲିସର ଖେଳାଳି ମନୀଷା ନାଏକଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ପ୍ରଦାନ କରିଥଲେ। ଆଜିର ଖେଳକୁ ଜାତୀୟ ରେଫେରୀ ରୀନା ତିର୍କି, ରାଉରକେଲା ଏବଂ ଲାଇନରେ ସୀତା ମାରାଣ୍ଡି ,ବାଲେଶ୍ୱର ଓ ବାଲାମତି ଓରାମ, ରାଉରକେଲା ଏବଂ ୪ର୍ଥ ରେଫେରୀ ଭାବେ ଆରତୀ ମହାନ୍ତି, ଭୁବନେଶ୍ୱର ପରିଚାଳନା କରିଥିଲା ବେଳେ ଜାତୀୟ ମ୍ୟାଚ କମିଶନର ଶିବ ଶଙ୍କର ପଣ୍ଡା ଏବଂ ଓଡିଶା ଫୁଟବଲ ଆସୋସିଏସନର ଚୟନକର୍ତ୍ତା ଚିତ୍ରସେନ ପାତ୍ର ଉପସ୍ଥିତ ଥିଲେ।
ଖେଳର ଧାରା ବିବରଣୀ ଭାଷ୍ୟକାର ଡ଼ ଆଶୁତୋଷ ମିଶ୍ର ଓ ଶେଖ ଅବଦୁଲ ଖାଲିକ ପଡିଆ ମଧ୍ୟରେ ଚମତ୍କାର ଢଙ୍ଗରେ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ବିକାଶ ଜ୍ୟୋତି ଦୋରା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସୋମବାର ଫାଇନାଲ ଖେଳ ସ୍ପୋର୍ଟ୍ସ ହଷ୍ଟେଲ ସୁନ୍ଦରଗଡ଼ ବନାମ ଓଡିଶା ପୋଲିସ, କଟକ ମଧ୍ୟରେ ଅନୁଷ୍ଠିତ ହେବା ସହ ଦର୍ଶକଙ୍କ ମନୋରଞ୍ଜନ ଲାଗି ମେଲୋଡି “ଦ ଭଏସ “, କଟକ ଦଳ ସହ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସମେତ ଚଳଚିତ୍ର ଜଗତର ଅଭିନେତ୍ରୀ ଅଭିନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସାଧାରଣ ସମ୍ପାଦକ ସୂଚନା ଦେଈଛନ୍ତି।
