ହେ ଅତିଥି ଈଶ୍ୱର, ଘେନ ନମସ୍କାର

ଶୀର୍ଷକ _ହେ ଅତିଥି ଈଶ୍ୱର, ଘେନ ନମସ୍କାର


ରୀତାରାଣୀ ଦାଶ
ବାଲେଶ୍ୱର

ହେ ଅତିଥି ତୁମେ ଛଦ୍ମବେଶୀ ପ୍ରଭୁ
ଘେନ ହେ ସଭକ୍ତି ପ୍ରଣାମ ମୋର
ଛୋଟ ଏ କୁଡ଼ିଆ ସଜାଇଛି ଯତ୍ନେ
ସ୍ୱାଗତ ପାଇଁକି ପ୍ରେମ ଭାବର |

ଯେଉଁ ଉଦ୍ଦେଶ୍ୟରେ ଆସିଛ ଦେବତା
ହୃଦୟରେ ଶାନ୍ତି ବିରାଜୁ ଥାଉ
ଯେଉଁଠାରେ ଦୟା ଅଟଇ ଅତିଥି
ଯାତ୍ରା ଓ ବିଶ୍ରାମ ସଫଳ ହେଉ |

ଅଭ୍ୟର୍ଥନା ଆଉ ଉଷ୍ମ ପ୍ରେମ ପ୍ରୀତି
ସଭକ୍ତି ତୁମର ଆତ୍ମା ପରଶେ
ବିନମ୍ର ପ୍ରାର୍ଥନା ଯୋଡ ହସ୍ତେ ଘେନ
ଟିକି ଉପହାରେ ଚିତ୍ତ ମୁଁ ତୋଷେ |

ହେ ପୂଣ୍ୟ ଅତିଥି ଦୟାଳୁ ଦୟାଳୁ ଈଶ୍ୱର
ତ୍ରୁଟି ଧରିବନି ଏ ଅକିଞ୍ଚନର
ତୁମ ସେବା ଭାବେ ଆଶୀର୍ବାଦ ଭିକ୍ଷା
ସମୁଜ୍ଜ୍ୱଳ କର ଯାତ୍ରା ତୁମର |

ନମ୍ର ଆତିଥ୍ୟକୁ ଆନ୍ତରିକ ହୃଦେ
ସୁ ସ୍ମାରକ ଭାବି କର ଗ୍ରହଣ
ଅକୁଣ୍ଠିତ ଚିତ୍ତେ ଦୋଷ ତ୍ରୁଟି କ୍ଷମ
ହେ ପୂଜ୍ୟ ନମସ୍ୟ ଶ୍ରୀ ଭଗବାନ |

ପ୍ରଣମ୍ୟ ଅତିଥି ଘେନି ଯାଅ ମୋର
କାମ କ୍ରୋଧ ଲୋଭ ଈର୍ଷା ପରତା
ରାତ୍ରିର ଆଲୋକେ ପ୍ରେମର ପୁଲକେ
ବିଞ୍ଚି ଦେଇଯାଅ ଅଶେଷ କୃପା |

Leave a Reply

Your email address will not be published. Required fields are marked *