ରଥକାଠ ଅନୁକୂଳ ପାଇଁ ମା ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା
ରଥକାଠ ଅନୁକୂଳ ପାଇଁ ମା ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା
ଗଣିଆ -ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ନୟାଗଡ ଜିଲ୍ଲା ଗଣିଆ ବ୍ଳକ ବଡରାଉଳ ଠାକୁରାଣୀଙ୍କ ପୀଠରେ ପରମ୍ପରା ଅନୁଯାୟୀ ରଥକାଠ ପୂଜାର୍ଚ୍ଚନା ପରେ କାଠ କାଟିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ପୁରୀରୁ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଶ୍ରୀଜୀଉଙ୍କ ଠାରୁ ମହାର୍ଦ, ଆଜ୍ଞାମାଳ,ପାଟପତନୀ, ଖଣ୍ଡୁଆ ପାଟ, ମହାପ୍ରସାଦ ଧରି ପହଞ୍ଚିବା ପରେ ପ୍ରଥମେ ବେଠିଆସାହି ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ବଡମୂଳ ଠାରେ ଥିବା ମା ବଡରାଉଳଙ୍କ ପୀଠରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗଣିଆରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସଂକୀର୍ତ୍ତନ ମଣ୍ଡଳୀ ଦ୍ବାରା ଏକ ବିଶାଳ ଶୋଭାଯାତ୍ରାରେ ସେମାନଙ୍କୁ ପାଛୋଟି ନେଇ ମା’ଙ୍କ ପୀଠରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା । ନୟାଗଡ ଡିଏଫଓ ଦେବାର୍ଚନ ବେହେରା, ଦଶପଲ୍ଲା ରେଞ୍ଜର ଶ୍ରୀନିବାସ ଦାଶ,ମା ବଡରାଉଳଙ୍କ ପୂଜକ ପ୍ରଶନ୍ନ କୁମାର ଦାଶ,ଗଣକ ପ୍ରଫୁଲ୍ଲ କୁମାର ଦାଶ,ରଥ ତତ୍ବାବଧାରକ ଚିତ୍ରସେନ ମହାପାତ୍ର,ରଥ ଅମିନ ଲକ୍ଷ୍ମଣ ମହାପାତ୍ର,ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ବିଭିନ୍ନ ବନାଞ୍ଚଳ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ହେଉଥିବା ବେଳେ ଗତ ବର୍ଷରୁ ୪୭ ଖଣ୍ଡ କାଠ ବଳକା ରହିଛି । ଚଳିତ ବର୍ଷ ଆଉ ୮୧୮ ଖଣ୍ଡ ଧଉରା, ଅଶନ,ଫାଶି,ଶିମିଳି କାଠ ଦରକାର ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
