ନୂଆ ବର୍ଷର ଅପରାହ୍ନ ସ୍ଵପ୍ନ

ନୂଆ ବର୍ଷର ଅପରାହ୍ନ ସ୍ଵପ୍ନ
       ଡ. ପ୍ରେମାନନ୍ଦ ବେହେରା

ପୁରୁଣା ଦିନର ଧୂସର ପଥରେ
ଯେଉଁଠି ସ୍ମୃତିର ଛାୟା ଲମ୍ବିଥାଏ,
ଯେଉଁଠି ହାରନ୍ତା ମନର କୋଣରେ
ଅସ୍ବୀକାରର ଧୂଳି ଜମି ରହିଥାଏ,
ସେହିଠାରୁ ଆଜି ନୂଆ ପ୍ରଭାତ
ମନକୁ ନେଇଯାଏ ନୂତନ ଆକାଶପଥେ
ଏକ ଅପରିଚିତ….….
ଅଦ୍ଭୁତ ନବ-ଯାତ୍ରାରେ ।।

ନୂଆ ବର୍ଷର ଆଗମନରେ
ସମୟ ଆଜି ନିଜ ଅସ୍ତ୍ରକୁ ତ୍ୟାଗି
ସୁନେଲି ଆକାଶେ ହସୁଛି ମନ୍ଦମନ୍ଦ,
କୋଇଲି ଗାଉଛି କୁହୁକୁହୁ ଗୀତ
ଶୀତର ମନ୍ଦ ମନ୍ଦ ଧୀର ସମୀର ଛୁଆଁରେ
ଯେପରି ଅସୀମ ବିଶ୍ୱବ୍ରହ୍ମାଣ୍ଡ
କରୁଛି ସ୍ୱାଗତ ନୃତ୍ୟ ।।

ପବନ ଗାଉଛି ମୃଦୁ ସରଗମ୍
ପତ୍ରମାଳା ଦେଉଛି ନିରବ ତାଳ,
ପ୍ରତ୍ୟେକ ତାରା ଆଜି ହୋଇଛି
ପଥିକରେ ଆଶୀର୍ବାଦର ଜ୍ଵାଳା
ଏମିତି ଏକ ଦିନ, ଯେଉଁଠି
ମନର ହତାଶାରେ ନୂଆ ପତ୍ର ଅଙ୍କୁରେ
ଆଶାର ମୃଣାଳ-ଧୂସର ସ୍ତବକ
ପୁଣିଥରେ ମନକୁ ଯୋଡ଼ି ଦେଇ ପଥେ ।।

ବର୍ଷର ଦେହରେ ଅନେକ ମେଘ ଆସିଥାଏ,
କିନ୍ତୁ ସେମାନଙ୍କ ଭିତରେ ଲୁଚି ରହିଅଛି
ନୂତନ ସୂର୍ଯ୍ୟ ଉଦୟର ଗୁପ୍ତ ତନ୍ତ୍ର
“ଏଠାରୁ ଆରମ୍ଭ, ଏଠାରୁ ପୁନଃସୃଷ୍ଟି”
ମନକର୍ଣ୍ଣରେ ନୂଆ ବର୍ଷର ଏହି ମହାମନ୍ତ୍ର,
ଯେପରି ଏକ ଅଦୃଶ୍ୟ ଆଲୋକ
ସ୍ଵପ୍ନର ଦେଉଳକୁ ଛୁଇଁ
ଉଦ୍ଭାସିତ କରେ ……
ଭବିଷ୍ୟତର ଅନେକ ସଂଭାବନା ।।

ପଥରେ ନାହିଁ ସବୁବେଳେ ପୁଷ୍ପବନ,
କେବେ କେବେ ଅନିଶ୍ଚିତ ଶୂନ୍ୟ ଅନ୍ତରାଳ,
ତଥାପି ମନର ସାହସ ଯେତେବେଳେ ଜାଗୁଛି
ସେତେବେଳେ କଠିନ ପଥ ବୁଝି
ଲଙ୍ଘିବାକୁ ଦୁର୍ବାର ଶୈଳ
ଫୁଟିଯାଏ ପଦଚିହ୍ନରେ ନୂଆ ଆଲୋକ ।।

ନୂଆ ବର୍ଷ—
ମାତ୍ର କ୍ୟାଲେଣ୍ଡର ବଦଳ ନୁହେଁ;
ଏହା ହେଉଛି ଅନ୍ତରରେ ବିପ୍ଲବ
ଦୃଷ୍ଟିରେ ପରିବର୍ତ୍ତନ
ଓ ହୃଦୟରେ ପୁନଃଜନ୍ମ,
ସ୍ଵପ୍ନ ଯେଉଁଗୁଡ଼ିକୁ ଗତ ବର୍ଷରେ
ଭୂମିରେ ପଡ଼ି ଯାଉଥିଲା,
ସେମାନଙ୍କୁ ଆଜି ଧର,
କରିବାକୁ ହେବ ନବବର୍ଷରେ ସାକାର ।

କାରଣ ଜୀବନର ଅଛି ଅଦ୍ଭୁତ ଅଧିକାର—
ପୁନଃ ଉଠିବା, ପୁନଃ ଗଢ଼ିବା,
ପୁନଃ ନିଜକୁ ନିଜର ଶ୍ରେଷ୍ଠ ରୂପେ ଗଢ଼ି ତୋଳିବା
ଆଜି ମନର କକ୍ଷକୁ ଖୋଲ
ଯେପରି ନୂଆ ବାସନ୍ତୀ ପବନ,
ବୟସରେ ନୁହେଁ, ଚେତନାରେ ହେଉ
ନୂଆ ପ୍ରାଣ, ଜାଗୁ ନୂଆ ସ୍ପନ୍ଦନ।।

ଜୀବନର ଜର୍ଜର ଦେଆଳରେ
ଆଶାର ଚିତ୍ର ଆଉଥରେ ଅଙ୍କିଦେ’
ସ୍ଵପ୍ନର ତୃଣଧରାକୁ
ନୂଆ ରଙ୍ଗରେ ରଙ୍ଗାଇଦେ
ନୂଆ ବର୍ଷ ହେଉ—
ଅନ୍ଧକାରରେ ଆଲୋକ,
ଛାୟାରେ ଆଲୋକ
ହୃଦୟରେ ନୂଆ ଅର୍ଥ ….
ନୂଆଁ ବର୍ଷ  ଦେଉ
ସଫଳତାର ଶାନ୍ତ ନଦୀ,
ସମ୍ମାନର ଅକ୍ଷୟ ସ୍ରୋତ,
ଓ ମନରେ ଗୁଞ୍ଜିଥିବା
ନିଜ ଚେଷ୍ଟାର ପ୍ରବଳ ସ୍ୱର
ନୂଆ ବର୍ଷ—
ମାନବ ହୃଦୟରେ ଏକ ମହାପ୍ରସାଦ,
ଯେଉଁଠି ପ୍ରତ୍ୟେକ ଉପାଦାନ
ଏକ ଉପହାର, ଏକ ଶିକ୍ଷା, ଏକ ସମ୍ଭାବନା
ତେଣୁ ଆଗକୁ ବଢ଼,
ଅନ୍ତରର ତୃଷ୍ଣାକୁ ଜଗାଇ,
ଜଗତକୁ କହ—
“ମୁଁ ପୁଣି ଆସିଛି,
ମୋ ସ୍ଵପ୍ନ ସହିତ,
ମୋ ପ୍ରାଣର ଉଜ୍ଜ୍ୱଳ ଆକାଂକ୍ଷା ସହିତ।”

ନୂଆ ବର୍ଷରେ
ଜୀବନ ହେଉ
ଏକ ପଥଚରଣ—
ଯେଉଁଠି ପଡ଼ିବା ଥାଏ,
କିନ୍ତୁ ଉଠିବାରେ ଥାଏ ଅପାର ସୌନ୍ଦର୍ଯ୍ୟ;
ଯେଉଁଠି ବେଦନା ମିଳେ,
କିନ୍ତୁ ସେଥିରେ ଲୁଚିଥାଏ ଅସୀମ ଶାନ୍ତି
ଯେଉଁଠି ପଥ କଣ୍ଟକମୟ,
କିନ୍ତୁ ହୃଦୟ ଅଦମ୍ୟ ସାହସୀ  ।

ଏମିତି କାମନାର ସହିତ
ନୂଆ ବର୍ଷ ଆସୁ,
ସଭିଙ୍କ ଆତ୍ମାରେ ନୂଆ ବସନ୍ତ ଫୁଟୁ,
ଓ ଜୀବନର ପଥରେ ଲେଖି ଦେଉ
“ଏହି ବର୍ଷ ହେବ ମାନବର ସମ୍ପୂର୍ଣ୍ଣ ପୁନଃଜନ୍ମ।”

ପ୍ରଧାନ ଶିକ୍ଷକ
ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟ, କନସିଂହା
ପଦ୍ମପୁର, ବରଗଡ଼
9438292313

Leave a Reply

Your email address will not be published. Required fields are marked *