ବିଦାୟ ୨୦୨୫

ଶୀର୍ଷକ _ବିଦାୟ ୨୦୨୫


ରୀତାରାଣୀ ଦାଶ
ବାଲେଶ୍ୱର

ସୂର୍ଯ୍ୟାସ୍ତର ଦୀର୍ଘ ଶ୍ୱାସ ପରି ଶେଷ
ଏକ ଅଧ୍ୟାୟ ଯେ ସ୍ମୃତି ସାଥିର
ଭ୍ରମଣ, ଚର୍ବଣ ନୂତନ ମିଳନେ
ଲିଭୁଛି ଅଜ୍ଞାତ କାହାଣୀ ଟିର |

ହସ ଲୁହ ଆଉ ସାହସ ମୁହୂର୍ତ୍ତ
ମିଶ୍ରଣେ ସପନ ଯୋଜନା ଭରା
ଉଚ୍ଚ ନୀଚ ଦିନରାତି କାହାଣୀରେ
ବର୍ଷର ଗଠନେ ପ୍ରୀତି ପସରା |

ପ୍ରତି ଶେଷ ପାଇଁ ନୂତନ ଆରମ୍ଭ
ପିଛା କରିବାକୁ ହୃଦୟ ଦେଇ
ଅତୀତ ବର୍ଷର ଅଭୁଲା ସ୍ମୃତିଟି
ପଥ ପ୍ରଦର୍ଶକ ସାଜିଛି ସେହି |

କିଛି ସ୍ମୃତି ସ୍ବପ୍ନ ପୂରଣ ହୋଇଲା
କିଛି ଯେ ମିଳିଲା ବିନା ବାଧାରେ
ଆଉ କିଛି ମାଗି ପ୍ରାପ୍ତି ବି ହେଲାନି
କିଛି ଛାଡ଼ିଗଲେ ଅଧା ରାସ୍ତାରେ |

ପୁରୁଣା ସଂସ୍କୃତି ସିଦ୍ଧାନ୍ତ ବଦଳି
କିଛି ଋଷିଗଲେ ଅଭିମାନରେ
ଆପଣାର ପଣେ ଉଦାର ଚରିତ୍ର
ରହିଗଲେ ସଦା ଏ ହୃଦୟରେ |

ଅତି ଆପଣାର ଚିନ୍ତି ଅପେକ୍ଷାରେ
ହୃଦୟ ତନ୍ତ୍ରୀରେ ଦେଲି ଆସ୍ଥାନ
ଅନ୍ତ ପରିଣତି କେବେ ପ୍ରାପ୍ତି ହେବ
ବନମଲ୍ଲୀ ତୁଲ୍ୟ ସ୍ମୃତି ଅମ୍ଲାନ |

ବିଦାୟୀ ବରଷ ଆୟୁ ବହୁ ଅଳ୍ପ
କିଛି ଭୁଲ କିଛି ଠିକ କରିଛି
ନିଜସ୍ୱ ଗୁଣରେ କ୍ଷମା କରିଦେବେ
ଯୋଡ ହସ୍ତରେ ପ୍ରାର୍ଥନା କରୁଛି |

ଶେଷ ମୁହୂର୍ତ୍ତରେ ଗୁହାରୀ କରୁଛି
ଅନ୍ତର୍ଯ୍ୟାମୀ ପ୍ରଭୁ ପାଦ କମଳେ
ଆସନ୍ତା ଇଂରାଜୀ ନବ ବର୍ଷ ଆଣୁ
ସୁଖ ଓ ସୁବିଧା ପ୍ରତି ପ୍ରାଣରେ |

Leave a Reply

Your email address will not be published. Required fields are marked *