ସ୍ଵାଗତ ନୂଆବର୍ଷ

                    ସ୍ଵାଗତ ନୂଆବର୍ଷ
                ( ରାଗ — କାମୋଦୀ )

  🔹କବିରତ୍ନ ନୂତନ କୁମାର ବେହେରା

ସ୍ଵାଗତ ନୂଆବର୍ଷ’     ନେଇ ଆସ ହେ ହର୍ଷ’
           ଭୁବନେ’ ଭରି ଦିଅ ଶିରୀ’,
ଅନ୍ତରରୁ ଅଶେଷ’       ଶୁଭେଚ୍ଛା କରୁ ଆଶ,
           ଜୀବନେ’ ସମୃଦ୍ଧି ଦିଅ ଭରି’,
                  ହେ ନୂଆବର୍ଷ’
             କାଳର ଗତି ଅବି’ରତ’
          କ୍ରମରେ ବହେ ତାର’ ସ୍ରୋତ’
ସମୟର ବାରତା’         ଆଣି ରଖ ସମତା’
            ସବୁରି ଲାଗି କର ହିତ’
              ହେ ନୂଆବର୍ଷ’ /୧/
ଦିବସ ପରେ ରାତ୍ରି  ନେଇ ଚାଲେ ଧରିତ୍ରୀ
         ରହେନା କେବେ ବି ଅଟକି,
କ୍ରମଶଃ ଗତି କରି     ଯାଏ ତ ଅନୁସରି
          ପଡ଼େନା ପଥେ ତାର ଥକି,
                  ହେ ନୂଆବର୍ଷ
             ନିୟତିର ନିୟମ ନୀତି
            ପାଳନେ ହୁଅଇ ଉନ୍ନତି
ଶାନ୍ତି ଶୃଙ୍ଖଳା ମାନି ଚଳିଲେ ମର୍ତ୍ତ୍ୟେ ପ୍ରାଣୀ
             ରଖିଥାଏ ତାହାର କୀର୍ତ୍ତି
                 ହେ ନୂଆବର୍ଷ /୨/
ଆସିଥିଲା ପଚିଶ    ନେଇ ସେ ଏ ଦିବସ
          ଛବିଶ ହୋଇ ଆସ ତୁମେ,
ଏକ ନାମେ ନାମିତ     କରିଥାଏ ଜଗତ
           ହୃଦୟର ଗଭୀର ପ୍ରେମେ,
                  ହେ ନୂଆବର୍ଷ
            ଜୀବନେ ବହୁ ଆଶା ସ୍ବପ୍ନ
           ଭାବେ ଭାବନା କରେ ମନ
ସେମିତି ଦିବା ନିଶି  ସୁଖ ଦୁଃଖରେ ଆସି
           ଅନେକ କରନ୍ତି ପୂରଣ
              ହେ ନୂଆବର୍ଷ /୩/
ତୁମକୁ ଅଳି ଆଜି    କରୁଛୁ ଭାବେ ମଜି
         ନେଇ ଆସ ଶୁଭ ସନ୍ଦେଶ,
ମନରୁ ଭୁଲି ଗ୍ଳାନି   ମଣିଷ ହେଉ ଜ୍ଞାନୀ
            ଆଶୀର୍ବାଦ ଦିଅ ଛବିଶ,
                  ହେ ନୂଆବର୍ଷ
            ସମୟ ସଦା ବଳବାନ
           ରଖ ତୁମର ଯଥା ମାନ
ଶୁଭ ଲଗନ ତିଥି   କହେ ତୁମେ ଅତିଥି
          ଦିଏ ହୃଦୟରୁ ସମ୍ମାନ
             ହେ ନୂଆବର୍ଷ /୪/
ନେଇ ଆସ ସରାଗ ସର୍ବେ ଦିଅ ସୁଯୋଗ
         ଆନନ୍ଦେ ନାଚି ଉଠୁ ଧରା,
ବିଷାଦ ଘୁଞ୍ଚି ଯାଉ    ପଥ ସୁଗମ ହେଉ
           ଆଶା ସପନ କର ପୂରା,
                 ହେ ନୂଆବର୍ଷ
           ରହି ନାହିଁ କେହି ଜଗତେ
           ଚାଲି ଯାଏ ବିଧିର ମତେ
ଅରଜି ଯଶ ମାନ   ଧନ୍ୟ ହେଉ ଜୀବନ
         ରହୁ ତା’ ଅତୀତ ସହିତେ
              ହେ ନୂଆବର୍ଷ /୫/

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା
ମୟୂରଭଞ୍ଜ ।

Leave a Reply

Your email address will not be published. Required fields are marked *