ମା ତାରାତାରିଣୀ ଙ୍କୁ ଦର୍ଶନ କଲେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ
ମା ତାରାତାରିଣୀ ଙ୍କୁ ଦର୍ଶନ କଲେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ l
ପୁରୁଷୋତ୍ତମପୁର (୧/୧):- ନୂଆ ବର୍ଷର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତି ଭାଶନ ଓ ଉପ ଜ଼ିଲ୍ଲାପାଳ ସୁବାଶିଷ ବରାଳ ଆଜି ପବିତ୍ର ତାରାତାରିଣୀ ମନ୍ଦିରରେ ପହଞ୍ଚି ମା’ ତାରାତାରିଣୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି। ସକାଳୁ ସକାଳୁ ପାହାଡ଼ ଶିଖରରେ ଥିବା ଏହି ପ୍ରସିଦ୍ଧ ଶକ୍ତିପୀଠରେ ପୂଜାର୍ଚ୍ଚନା ସହ ସମସ୍ତ ଜ଼ିଲ୍ଲା ବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ପରେ ଜିଲ୍ଲାପାଳ ମନ୍ଦିର ପରିଚାଳନା ଓ ଚାଲିଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ମନ୍ଦିର ପ୍ରଶାସନ, ସେବାୟତ ସଂଘ ଓ ଟ୍ରଷ୍ଟି ସଦସ୍ୟଙ୍କ ସହ ଆଲୋଚନା ବେଳେ ଦର୍ଶନାର୍ଥୀଙ୍କ ସୁବିଧା, ପାର୍କିଂ ବ୍ୟବସ୍ଥା, ପାହାଡ଼ ରାସ୍ତା ସୁରକ୍ଷା, ପାନୀୟ ଜଳ, ପରିମଳ ଓ ଭିଡ଼ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେବାୟତ ପାଇଁ ପରିଶ୍ରାଗାର, ମୋବାଇଲ ଟାୱାର, କ୍ୱାଲିଟୀ ଭୋଗ, ୨୦୦ ମିଟର ଯାଏଁ ବିକ୍ରି ନିଷିଦ୍ଧ ଅଂଚଳ ଘୋଷଣା, ରାସ୍ତା ଓସାର ଏବଂ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ। ପରେ ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି “ତାରାତାରିଣୀ ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ, ଏହା ଗଞ୍ଜାମର ପରିଚୟ। ଦର୍ଶକଙ୍କ ସୁବିଧା ଓ ମନ୍ଦିରର ସୁରକ୍ଷା ଆମ ପ୍ରାଥମିକତା। ୨୦୨୬ରେ ଏଠାରେ ଅଧିକ ଉନ୍ନତ ସେବା ବ୍ୟବସ୍ଥା କରାଯିବ। ଏହି ଅବସରରେ ସ୍ଥାନୀୟ ତହସିଲଦାର ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଂଗୀତା ସେଠୀଙ୍କ ସହିତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତ ଥିଲେ। ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ବିକାଶ ପ୍ରକଳ୍ପର ପ୍ରଗତି ରିପୋର୍ଟ ଦେଖାଇଥିଲେ ଓ ଭକ୍ତଙ୍କ ପାଇଁ ଆଗାମୀ ଦିନର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁମାନେ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ, ନୂଆ ବର୍ଷରେ ମା’ଙ୍କ ଦର୍ଶନ ସହ ପ୍ରଶାସନର ଏହି ସମୀକ୍ଷା ଅଞ୍ଚଳରେ ଧାର୍ମିକ ଓ ପର୍ଯ୍ୟଟନ ବିକାଶକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
