ମହାପ୍ରଭୁଙ୍କ ପୁଷ୍ପାଭିଷେକ

          ମହାପ୍ରଭୁଙ୍କ ପୁଷ୍ପାଭିଷେକ
            ( ରାଗ — ବଙ୍ଗଳା ଶ୍ରୀ )

   🖊️କବିରତ୍ନ ନୂତନ କୁମାର ବେହେରା

ପ୍ରଭୁ ଜଗନ୍ନାଥ        ନୟନର ପଥ
              ଆଶିଷ ଦିଅନ୍ତି ଢ଼ାଳି,
ଶରଣେ ତାଙ୍କର     ଏ ଭବ ସଂସାର
            ଦେଉଥାଏ ପୁଷ୍ପାଞ୍ଜଳି।
ସେ ନିତ୍ୟ ନୂତନ     କରନ୍ତି କଲ୍ୟାଣ
              ଜଗତ ଜନର ହିତେ,
ତାଙ୍କରି ଦର୍ଶନ        କରିବାକୁ ମନ
           ରହିଥାଏ ଅବିରତେ।
ଜଗତ ଜୀବନ        କରନ୍ତି ପାଳନ
         ହୋଇ ସେ ଅଭୟଦାତା,
ପାପ ପୁଣ୍ୟ ଦେଖି      ସୃଷ୍ଟି ସ୍ଥିତି ରଖି
             କରାନ୍ତି ଜଗତଜିତା।
ଶ୍ରୀକ୍ଷେତ୍ର ବିହାରୀ      ଶୁଣନ୍ତି ଗୁହାରି
             ଆରତେ ଡାକିଲେ ଜନ,
ପତିତପାବନ       ନେତେ ଥିଲେ ଧ୍ୟାନ
             ଧନ୍ୟ ହୁଅଇ ଜୀବନ।
ପୌଷ ପୂର୍ଣ୍ଣମୀରେ     ବଡ଼ ଦେଉଳରେ
             ହୁଅଇ ପୁଷ୍ପାଭିଷେକ,
ନିତ୍ୟ ପୂଜା ପରେ     ମଣ୍ଡପ ଯାତ୍ରାରେ
           ନେଇ ଯାଆନ୍ତି ସେବକ।
ନବ ଭୂଷଣରେ        ଗନ୍ଧ ପୁଷ୍ପାଦିରେ
         ହୋଇଥାନ୍ତି ବେଶଭୂଷା,
ରତ୍ନ ସିଂହାସନେ       ବସି ଖୁସି ମନେ
           ପୂର୍ଣ୍ଣ କରିଥାନ୍ତି ଆଶା।
ଯଜ୍ଞ ଉପବୀତ           କରି ସମର୍ପିତ
         ହୋମ ବିଧି ଆବାହନ,
ବରୁଣ ପୂଜାରେ        ସ୍ବସ୍ତିବାଚନରେ
           ହୁଏ ମଙ୍ଗଳାରୋପଣ।
ପ୍ରତିମା ରୂପରେ         ଖଡ଼ଗ ପୂଜାରେ
            ଉପବୀତ ପରିଧାନ,
ଆଦ୍ୟେ ଜଗନ୍ନାଥ       ପରେ ନରନାଥ
             ରାଜାଙ୍କୁ ହୁଏ ଅର୍ପଣ।
ରାଜ ଅଭିଷେକ      ବିଧିରେ ପ୍ରତ୍ୟେକ
             କାର୍ଯ୍ୟ ହୁଏ ସମ୍ପାଦିତ,
ଦର୍ଶନାର୍ଥୀ ଭକ୍ତ       ହୋଇ ପାପ ମୁକ୍ତ
             ମୋକ୍ଷ ହୁଏ ତାଙ୍କୁ ପ୍ରାପ୍ତ।
ରତ୍ନସିଂହାସନେ        ବସି ଜୀଉମାନେ
             ହୋଇଥାନ୍ତି ସୁନାବେଶ,
ଶ୍ରଦ୍ଧାଳୁ ଭକତ          ହୋଇ ଉପସ୍ଥିତ
             ମାଗନ୍ତି ତାଙ୍କ ଆଶିଷ।
ପ୍ରଭୁ ଦୟାମୟ         ଉଦାର ହୃଦୟ
             ଭକ୍ତର ଭାବରେ ବଶ,
କରୁଛି ପ୍ରାର୍ଥନା      କରିବେ ସେ ଘେନା
           ଦୂର ହେଉ ସବୁ କ୍ଳେଶ।
        
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ
ନବସୃଜନ ଇ-ପତ୍ରିକା   
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *