ନିରାକାର ବିଷ୍ଣୁ ଠାକୁରଙ୍କର ୪୬ ତମ ବାର୍ଷିକୋତ୍ସବ ପାଳିତ

ନିରାକାର ବିଷ୍ଣୁ ଠାକୁରଙ୍କର ୪୬ ତମ ବାର୍ଷିକୋତ୍ସବ ପାଳିତ

ତିର୍ତ୍ତୋଲ :ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଂଖେଶ୍ଵର ପଞ୍ଚାୟତର ବେହେଡ଼ପୁର ଗ୍ରାମ ନିକଟସ୍ଥ ପାଇକା ନଦୀ କୂଳରେ ଥିବା ବହୁ ପୁରାତନ ନିରାକାର ବିଷ୍ଣୁ ଠାକୁରଙ୍କର ୪୬ତମ ବାର୍ଷିକୋତ୍ସବ ମହାସମାରୋହରେ ଇଂରାଜୀ ନବବର୍ଷରେ ପାଳିତ ହୋଇଯାଇଛି |

ଧର୍ମ ଜାଗରଣ ମଞ୍ଚର ଜଗତସିଂହପୁର ଜିଲ୍ଲାର ସଂସ୍କୃତି ପ୍ରମୂଖ ତଥା ନିଖିଳୋତ୍କଳପ୍ରବକ୍ତା ପରିଷଦ ଜିଲା ସଭ୍ୟ ରାମାୟଣୀ ପଣ୍ଡିତ ଅଭୟଦାଶ(ବୁଲୁନନା)ଙ୍କ ପୌରହିତରେ ଦିନ ତମାମ ପ୍ରାତଃ ସମୟରୁ ଆରମ୍ଭ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିରାକାର ବିଷ୍ଣୁ ଠାକୁରଙ୍କର ପହୁଡଖୋଲା ଯାଇ ଷୋଡ଼ଶୋପଚାର ପୂଜନ, ହବନ ,ଗୀତାଯଜ୍ଞ, ଭଜନ ଓ ପ୍ରବଚ଼ନ କାର୍ଯ୍ୟକ୍ରମ ସହିତ ସମ୍ବର୍ଦ୍ଧନା ଇତ୍ୟାଦି ନାନାବିଧ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଦୈନିକ ଆଦ୍ୟପୂଜକ ରମାକାନ୍ତ ଦାଶ, ଆଚାର୍ଯ୍ୟ ଦୁର୍ଗାଚରଣ କରଶର୍ମ୍ମା, ବୈଦିକ ପଣ୍ଡିତ ବିନୋଦ କୁମାର ଦାଶ ଓ ପଣ୍ଡିତ ପ୍ରଭାତରଂଜନ କର ପ୍ରଭୃତି ଗୀତା ପାଠ ଓ ଗୀତାଯଜ୍ଞ କରିଥିଲେ । ନିରାକାର ଶାନ୍ତିସଂଘର ବରିଷ୍ଠ ସଦସ୍ୟ ନାଟ୍ୟଗୁରୁ ବସନ୍ତ ମହାନ୍ତି, ରଂଜିତ ମହାନ୍ତି, ସୁଧିର ମହାନ୍ତି, ଅଜୟ ମହାନ୍ତି, ଅନନ୍ତ କିଶୋର ମହାନ୍ତି, ମହିମାସାଉଣ୍ଡର ପ୍ରୋପାଇଟର ଗଗନ ମହାନ୍ତି, ବସନ୍ତ ବେହେରା, ସାଗର ବେହେରାଙ୍କ ପରିଚାଳନାରେ ୪୬ତମ ବାର୍ଷିକ ଉତ୍ସବରେ ନିରାକାର ଠାକୁରଙ୍କର ପ୍ରଥମ ପ୍ରସ୍ଥର ମୂର୍ତ୍ତି ପ୍ରଦାନ କରିଥିବା ଲଳିତଗିରି ଅଞ୍ଚଳର ଆଧ୍ୟାତ୍ମିକ ବ୍ୟକ୍ତି ତ୍ରିଲୋଚନ ନାୟକଙ୍କୁ ପୁଷ୍ପ ଗୁଚ୍ଛ ,ଉପଢୋକନଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବର ଯଜ୍ଞକାର୍ଯ୍ୟରେ ଧିରେନ୍ଦ୍ର ଦାସ ଓ ମୀନତୀ ଦାସକର୍ତ୍ତାକର୍ତ୍ତୀ ଭାବେ ଉପସ୍ଥିତ ଥିଲେ । କାହ୍ନୁଚରଣ ବେହେରାଙ୍କ ସଂଯୋଜନାରେ ମହାବୀରଭଜନ ସଂଧ୍ୟାର କଳାକାରମାନଙ୍କଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । ଆଦିକବି ଶାରଳାଦାସ ମହାବିଦ୍ୟାଳୟ ତିର୍ତ୍ତୋଲର ଅଧ୍ୟାପକ ଅରୁଣ କୁମାର ପଣ୍ଡା ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିବାବେଳେ ଅଜୟ କୁମାର ମହାନ୍ତିଙ୍କ ଦ୍ୱାରା ପ୍ରତିଭାଧାରୀ କୃତୀ ଛାତ୍ରୀ ଶୁଭସ୍ମୀତା ମହାନ୍ତିଙ୍କୁ ଆଗ୍ରହ ସ୍ୱରୂପ ଏକ ହଜାର ଟଂକା ମଞ୍ଚରେ ପ୍ରଦାନ କରିଥିଲେ। ସ୍ଥାନୀୟ ବେହେଡପୁର, ସରଳପୁର,ବଡଜଙ୍ଗଲ, ବିଜିପୁର , ଶଂଖେଶ୍ୱର ଆମ୍ବିରି ଓ ଡେରକଣା ପ୍ରଭୃତି ଆଦି ଗ୍ରାମରୁ ବହୁ ଭକ୍ତ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ନିରାକାର ଶାନ୍ତିସଂଘର ସମସ୍ତ ସଦସ୍ୟ ଏହାକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *