ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୬ ଉଦଯାପିତ

ନବରଙ୍ଗପୁର: ସ୍ଥାନୀୟ ଆର୍ ସି ଡି ହାଇସ୍କୁଲ ପଡିଆ ରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଉଦଯାପିତ ହୋଇଯାଇଛି। ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଯୋଗ ଦେଇଥିଲେ।ମଞ୍ଚରେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ,ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାଇକ,ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଷ୍ଣୁ ଚରଣ କିଷାନ,ବି ଡି ଓ ନବରଙ୍ଗପୁର ସୁନିଲ ଖରା ପ୍ରମୂଖ ଉପସ୍ଥିତ ଥିଲେ।ପ୍ରଥମେ ସି ଡି ଓ ଜିଲ୍ଲା ପରିଷଦ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଚାଷୀ ମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ମୁଖ୍ୟ ଅତିଥି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାର ଉପସ୍ଥିତ ଚାଷୀଙ୍କୁ ସ୍ବାଗତ ଜଣାଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ର ବିଭିନ୍ନ ଯୋଜନାରେ ସାମିଲ ହୋଇ ନିଜର ଆର୍ଥିକ ଅଭିବୃଦ୍ଧି କରିବା ସହ ଅନ୍ୟମାନଙ୍କ ଉଦାହରଣ ହେବାକୁ ଆହ୍ବାନ କଲେ।ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳକ ଚାଷୀ ଆଧୁନିକ ଜ୍ଞାନ ଆହରଣ ସହ ନବରଙ୍ଗପୁର ଜିଲ୍ଲାର ନାମ କୁ ମତ୍ସ୍ୟ ଓ ଦୁଗ୍ଧ ଉତ୍ପାଦନ ରେ ପ୍ରମୁଖ ସ୍ଥାନରେ ପହଞ୍ଚିବାକୁ ଉତ୍ସାହ କରିଥିଲେ।ଏହି ଉଦଯାପନ କାର୍ଯ୍ୟକ୍ରମ ଅବସରରେ ଜିଳ୍ଲାର ୦୪ ଜଣ ଚାଷୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଉପଢୌକନ,ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ପାପଡ଼ାହାଣ୍ଡି ବ୍ଲକ ର ରମା ଭତରା ଗୋପାଳନ, ଉମରକୋଟ ବ୍ଲକର ମୂରଲୀଧର ପୁଜାରୀ ମାଛ ଜାଆଁଳା ଉତ୍ପାଦନ କାରୀ, ତେନ୍ତୁଲିଖୁଣ୍ଟି ବ୍ଲକ୍ ର ସ୍ଵାତୀ ପନାଗିଲାଟି ଅଣ୍ଡା ଦିଆ କୁକୁଡ଼ା ପାଳନ,ପାପଡ଼ାହାଣ୍ଡି ବ୍ଳକ୍ ର ଅନିତା ଚେଟି ବାଓଫ୍ଲକ ପଦ୍ଧତି ରେ ମତ୍ସ୍ୟ ପାଳନ କରି ମୁଖ୍ୟଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ସେଭଳି ହିତାଧିକାରୀ ଆର୍ଥିକ ସହାୟତା ରୂପେ ଡ଼ାବୁଗାଁର ଜେମା ଗୌଡ ଗୋପାଳନ ବାବଦରେ ୧,୦୮,୦୦୦ ଟଙ୍କା,ତେନ୍ତୁଳିଖୁଣ୍ଟି ବ୍ଲକର ବନମାଳୀ ଜାନି ଛେଳି ପାଳନ ରେ ୬୧,୦୦୦ ଟଙ୍କା,ଭାଟିକୋଟ ର ଚୁମକି ଶାନ୍ତା ନୂତନ ମଧୁର ଜଳ ପୋଖରୀ ରେ ୨,୯୪,୦୦୦ ଟଙ୍କା,ଅଞ୍ଚଲଗୁମା ର ମୋହନ ମାଝୀ ମାଛ ଜାଆଁଳା ଉତ୍ପାଦନ ରେ ୮୦,୦୦୦ ଟଙ୍କା ର ଚେକ ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ ପରିଦର୍ଶନ କରିଥିଲେ।ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ରେ ଚାଷୀମାନେ ଯୋଗ ଦେଇଥିଲେ।ସଭାପରେ ଚାଷୀ ମାନଙ୍କ ପାଇଁ ସାରେଗାମା ଅର୍କେଷ୍ଟ୍ରା ପକ୍ଷରୁ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଉଦଯାପନ କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ,ସମସ୍ତ ବ୍ଲକ ରୁ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ସ୍ୱୟଂ ସହାୟକ ଗୋଷ୍ଠୀ,ଯୁବ ଉଦ୍ୟୋଗୀ,ଅଗ୍ରଣୀ ଚାଷୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *