ଅଷ୍ଟ ପାଶ
ଶୀର୍ଷକ _ଅଷ୍ଟ ପାଶ
ରୀତାରାଣୀ ଦାଶ
ବାଲେଶ୍ୱର
ଆଠ ବନ୍ଧନରେ ବୁଣା ସୂକ୍ଷ୍ମ ସୂତା
ପ୍ରେମ ପବିତ୍ର ଶଯ୍ୟାରେ
ପରିବାର ବନ୍ଧୁ ସମ୍ପର୍କ ସହିତ
ଯୋଡିଥାଏ ସୁଦୃଢରେ
ଅଷ୍ଟ ପ୍ରକାରର ପାଶ,
ଏହି ମାୟା ଜାଲେ ଜୀବନ ଯାତ୍ରାରେ
ଚିରନ୍ତନ ହୁଏ ବଶ |
ମୋହ, ମଦ ଆଉ ମାତ୍ସର୍ଯ୍ୟ ବିଷାଦ
କ୍ରୋଧ, ଭୟ, ଲୋଭ, କାମ
ଅଷ୍ଟ ବନ୍ଧନର କୁହୁକ ପାଶରେ
ବନ୍ଧା ଏ ଜୀବନ ଆମ
ଦୁର୍ବଳ ମନ ଆମର,
ମୁକତିର ପଥ ଖୋଜଇ ମନଟି
ଉଦ୍ଭାସିତ ଆଲୋକର |
ପ୍ରେମର କୋମଳ ସ୍ପର୍ଶରେ କାତର
ନରମ ସେ ଆଲିଙ୍ଗନ
ଏତେ ଦୃଢ଼ ଏହି ପବିତ୍ର ବନ୍ଧନ
ସର୍ବଦା ଶୀର୍ଷରେ ଜାଣ
ପରିବାର ଅଟେ ମୂଳ,
ସୁଗଭୀର ସିନା ମୂଳ ଦୁଆ ୟାର
ସନ୍ଦେହ ହୁଅଇ କାଳ |
ଏ ଅଷ୍ଟ ବନ୍ଧନେ ଛନ୍ଦିହୁଏ ଯିଏ
ପାରେ ନାହିଁ ତ ମୁକୁଳି
ଘାଣ୍ଟି ହେଉଥାଏ ମାୟା ଜଞ୍ଜାଳରେ
କଷ୍ଟରେ ଯାଏ ଝାଉଁଳି
ବଶତା ଶିକାର କଲେ,
ଇନ୍ଦ୍ରିୟ ଚାପରେ ସନ୍ତାପିତ ପ୍ରାଣ
ତିଳ ତିଳ ହୋଇ ଜଳେ |
ବୃଥା ଅହଂକାରେ ମଜ୍ଜିଣ ମାନବ
ନିଜକୁ ଶ୍ରେଷ୍ଠ ମଣିଲେ
ଦୁଷ୍ଟ ବୁଦ୍ଧି ନେଇ ହୀନ ନୟନରେ
ମାନବେ ବେଭାର କଲେ
ସମ୍ପର୍କ ଯେ ଛାର ଖାର,
ସମସ୍ତ ନଷ୍ଟର କାରଣ ହୁଅଇ
ପ୍ରାଣ ଘାତକ ସ୍ଥଳର |
ସବୁରି ଶ୍ରଦ୍ଧାରେ ଏ ଅଷ୍ଟ ପାଶରେ
ସାଧିତ ହୁଏ ମଙ୍ଗଳ
ଧ୍ୟାୟୀ ଜଗଦୀଶ ସତ କର୍ମେ ବଶ
ପ୍ରାପ୍ତି ହୁଏ ଯେ ସୁଫଳ
ମାନବେ ମଣି ମାଧବ,
ଚିନ୍ତନ, ସ୍ମରଣ ସତ ପଥେ ଗମନ
ଦେଇଥାଏ ପରାଭବ |
