ହସ ଆକାଶରେ କାନ୍ଦ ବିଜୁଳି

ଶୀର୍ଷକ _ହସ ଆକାଶରେ କାନ୍ଦ ବିଜୁଳି


ରୀତାରାଣୀ ଦାଶ
ବାଲେଶ୍ୱର

ଆକାଶ ବକ୍ଷରେ ମୁକ୍ତ ମେଘମାଳା
ଆନନ୍ଦର ଉଲ୍ଲାସରେ
ଖିଲି ଖିଲି ହସି ବିଚରଣ କରି
ବୁଲନ୍ତି ସ୍ୱାଧୀନତାରେ
ବଦଳିଲେ ପାଣିପାଗ,
ଘଡ ଘଡି ଶବ୍ଦ ପ୍ରତିଧ୍ୱନିତ ଯେ
ବଦଳେ ବି ମନୋଭାବ |
ହସ ଆକାଶରେ ସୃଷ୍ଟି ହୁଏ ଲୁହ
ଗମ୍ଭୀର ଝଡ ସହିତ
ମେଘମାଳା କାନ୍ଦ ଦୁଃଖଦ ନିଃଶ୍ୱାସେ
ମିଥ୍ୟା ବତାସେ ବିଷାଦ
ଧୂସର ଆବରଣରେ,
ଲୁଚି ତ ଯାଆନ୍ତି ସୂରୁଜ ଦେବତା
ଝଡର ପ୍ରାଦୁର୍ଭାବରେ |
ଘୋର ଗରଜନେ ଘଡ ଘଡି ସହ
ବିଜୁଳିର ଯେ ଚମକ
ଦୁଃଖ ଅଭିଭୂତ କରାଏ ସଭିଁଙ୍କୁ
ମିଳାଇ ଯାଏ ପୁଲକ
ଜୀବନ ଆକାଶେ କେବେ,
ଏତାଦୃଶ ସ୍ଥିତି ହସ କାନ୍ଦ ମଧ୍ୟେ
ପ୍ରତିଫଳିତ ସର୍ବତ୍ରେ |
ବର୍ଷା ବିଜୁଳିରେ ଧୋଇ ହୋଇଯାଏ
କିଛି ଅଳିଆ ଅସନା
ଶୁଭ୍ର ଜ୍ୟୋତ୍ସ୍ନା ପରି ଚମକ ଆସଇ
ଧୌତ ଗ୍ଲାନି ଅନାବନା
ଅତିକ୍ରମେ ଯଥା ବିଧି,
ଆକାଶ ହସଇ ବିଜୁଳି କାନ୍ଦଇ
ପୁନଃଚକ୍ର ଗତି ରୀତି |
ଲୁଚକାଳି ଖେଳ ଚାଲେ ଜୀବନରେ
ଯେହ୍ନେ ଆକାଶ ବିଜୁଳି
କେବେ ଭରା ଲୁହ କେବେ ହସ ସୁଅ
ଜୀବନେ ପଡେ ଉଛୁଳି
ବାଦଲ ପୁଣି ଖେଳିବ,
ପରିପୂର୍ଣ୍ଣ ହେବ ନୂତନ ଉପାୟେ
ଆନନ୍ଦ ଫେରି ଆସିବ |

Leave a Reply

Your email address will not be published. Required fields are marked *