ଆମେ ଗୋଟିଏ ପରିବାରର ଲୋକ

    ଆମେ ଗୋଟିଏ ପରିବାରର ଲୋକ

  🖊️କବିରତ୍ନ ନୂତନ କୁମାର ବେହେରା

ଆମେ ସବୁ ଗୋଟିଏ ପରିବାରର ଲୋକ
ସଭିଏଁ ନିଜର ଆମ ମଧ୍ୟେ ନାହିଁ କିଛି ଫରକ
ଆମ ଘର ଅଗଣା ତ ଏଇ ଭୂଗୋଲକ
ପରମ ପିତା ପରମାତ୍ମା ଯେ ଆମର ଜନକ
ଆମେ ଏକ ସୂର୍ଯ୍ୟ ଏକ ଚନ୍ଦ୍ରରୁ ପାଉ ଆଲୋକ
ଏ ସବୁଜ ସୁନ୍ଦର ପ୍ରକୃତି ଆମରି ପାଳକ
ତାର ପଞ୍ଚଭୂତ ଦିଏ ସବୁ ହୁଏ ଯା’ ଆବଶ୍ୟକ
ବାୟୁ ସଞ୍ଚଳନରୁ ହୁଏ ଆମ ରେଚକ ପୁରକ
ଭୂପୃଷ୍ଠ ଜଳରେ ତୃଷା ମେଣ୍ଟାଉ ଜୀବନ ଯାକ
ମାଟି ମାଆ ଦିଏ ଆମକୁ ଖାଦ୍ୟରୁ ପୋଷାକ
ଆମେ ସବୁ ଗୋଟିଏ ପରିବାରର ଲୋକ
ଦାୟିତ୍ଵ ତୁଲାଉ ଆମର ଖଟାଇ ବୁଦ୍ଧି ବିବେକ
ଆମ ପାଇଁ ଅଛି ଏ ସଚରାଚରର ସାରା ମୁଲକ
ଅନୁକମ୍ପା ସହାନୁଭୂତିରେ ଗଢ଼ା ଆମ ସଂପର୍କ
ସମ୍ବେଦନଶୀଳ ହୋଇ ରହିବା ଆମ ଜନ୍ମ ଜାତକ
ଭାବ ବିନିମୟ କରି ରଖୁ ଆମେ ସମ୍ପର୍କର ଟେକ
ସୁଖ ଦୁଃଖ ହସ ଲୁହ ସହି ଥାଉ ଅନେକ
ସାହାଯ୍ୟ ସହଯୋଗରେ ଆଶାକୁ କରୁ ସାର୍ଥକ
ସାମ୍ୟ ଶାନ୍ତି ମୈତ୍ରୀ ଦୟା କ୍ଷମା ଆମର ସନ୍ତକ
ଦିଏ ପ୍ରେରଣା ହୋଇ ଆମରି ପଥ ପ୍ରଦର୍ଶକ
ଆମେ ସବୁ ଗୋଟିଏ ପରିବାରର ଲୋକ
ଭୁଲି ଯିବା ଆସ…ମନେ ଗ୍ଳାନି ଅଛି ଯେତେକ
ଏକତାର ପ୍ରେମ ମନ୍ତ୍ରରେ ହୋଇବା ନିର୍ଭୀକ
ମାନବ ଜାତି ଲାଗି ଏକ ସଂକଳ୍ପେ ହେବା ସାଧକ
ପ୍ରଗତି ପଥରେ ଆଗେଇ ଯିବା ହୋଇ ପଥିକ
ଭଲ ପାଇବାର ଫୁଲ ଫୁଟାଇ ଦୂରେଇବା କଣ୍ଟକ
ହିଂସା ପ୍ରତିହିଂସା କରି ସାଜିବା ନାହିଁ ଘାତକ
ରହିବ ନାହିଁ ଆଉ କାହାରି ହୃଦୟରେ ଆତଙ୍କ
ସବୁରି ମନ ପ୍ରାଣ ଆତ୍ମାକୁ କରିବା ଏକ
ହସି ହସାଇବା ଜଗତ ମନରୁ ଭୁଲି ସ୍ଵାର୍ଥ ଟିକକ
ଆମେ ସବୁ ଗୋଟିଏ ପରିବାରର ଲୋକ…।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
      ନବସୃଜନ ଇ-ପତ୍ରିକା,

    କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *