ନୂଆ ଆଶା ନୂଆ ବିଶ୍ୱାସ
ଶୀର୍ଷକ _ନୂଆ ଆଶା ନୂଆ ବିଶ୍ୱାସ
ରୀତାରାଣୀ ଦାଶ
ବାଲେଶ୍ୱର
କ୍ରମେ ସୂର୍ଯ୍ୟ ଅସ୍ତେ ପ୍ରବେଶ ଧରାରେ
ରାତ୍ରିର ଘୋର ଅନ୍ଧାର
ପ୍ରତ୍ୟୁଷରୁ ଲିଭେ ଅନ୍ଧକାର ଛାୟା
ଉଦୟରେ ଦିବାକର |
ଆଶାର ଝଲକ ଉଦ୍ଦୀପନା ଆଣେ
ଜାଗେ ନିଦ୍ରାରୁ ଦୁନିଆଁ
ସମ୍ଭାବନା ଖୋଲି ଡେଇଁ ପଡୁଥାଇ
ପୁଷ୍ପର ପାଖୁଡା ସିନା |
କେତେ ନୂଆ ଆଶା ନୂଆ ବିଶ୍ୱାସରେ
ନୂତନ ଆରମ୍ଭ ହୁଏ
ସ୍ବପ୍ନ ଓ ସୁସ୍ଥତା ପ୍ରେମ ବାଣ୍ଟିବାକୁ
ସୁଯୋଗକୁ ଖୋଜୁଥାଏ |
ପ୍ରତୀକ୍ଷା ଉତ୍ସାହେ ହୃଦୟ ସ୍ପନ୍ଦିତ
ଆଗକୁ ପାଦ ବଢ଼ାଇ
ଅତୀତରୁ ଶିକ୍ଷା ଭବିଷ୍ୟତ ଡାକ
ପ୍ରତିଶ୍ରୁତି ଜୟ ନେଇ |
ନୀରବ ନିସ୍ତବ୍ଧ ରାତ୍ରିରେ ବଖାଣେ
ବିଶ୍ୱାସ ସତ୍ୟକୁ ଧୀରେ
ଆଶା ଆଲୋକିତ ସୁ ପଥର ଦୃଶ୍ୟ
ଚିତ୍ତକୁ ବିମୁଗ୍ଧ କରେ |
ପ୍ରତି ପଦକ୍ଷେପେ ନୂତନ ମାର୍ଗରେ
ସୁଯୋଗ ଶ୍ୱାସ ପ୍ରଶ୍ୱାସ
ମହତ ଉଦ୍ଦେଶ୍ୟ ପରିପୂର୍ଣ୍ଣ ସତ୍ୟ
ଜୀବନେ ଧାର୍ଯ୍ୟ ଅବଶ୍ୟ |
ନୂଆ ଆଶା ନେଇ ଆଗକୁ ବଢିଲେ
ମିଳିଯିବ ଲକ୍ଷସ୍ଥଳ
ବିଶ୍ୱାସେ ଜୀବନ ସ୍ପଷ୍ଟ ଆଚରଣ
ହୋଇବ ନିଶ୍ଚେ ଉଜ୍ଜ୍ୱଳ |
