ଆମ ଭିତରେ ସେମିତି ତ କିଛି ବି ନାହିଁ

       ଆମ ଭିତରେ
               ସେମିତି ତ କିଛି ବି ନାହିଁ

   🖊️କବିରତ୍ନ ନୂତନ କୁମାର ବେହେରା

ଆମ ଭିତରେ
ସେମିତି ତ କିଛି ବି ନାହିଁ
ତେବେ କପାକାଠି ପରି ଖଣ୍ଡ ଖଣ୍ଡ ହୋଇ
ଭାଙ୍ଗି ପଡୁଛ କ’ଣ ପାଇଁ
କେବେ ତ ମୁଁ ତୁମକୁ ଭୁଲ୍ ବୁଝିନି
ତୁମେ ବି ମୋତେ
ପୂର୍ବ ପରି ଆଜି ମଧ୍ୟ ଆମର ସଂପର୍କ ଦୃଢ଼
ବୁଝାମଣା ବି ଠିକ୍ ଅଛି
ଅଯଥା ଆଶଙ୍କା ମିଛରେ ସନ୍ଦେହ
ମନକୁ କରିଦିଏ ରୁଗ୍ଣ ଦୁର୍ବଳ
ଭାବ ଥରେ ହୃଦୟକୁ ତୁମର ଛୁଇଁ
ଆମ ଭିତରେ
ସେମିତି ତ କିଛି ବି ନାହିଁ
ଆତ୍ମବିଶ୍ଵାସ ଆତ୍ମଭରସାଠାରୁ ଆଉ କ’ଣ
ଏ ଦୁନିଆଁରେ ବଡ଼ ଅଛି ଯେ
ଯିବା ବେଳେ କିଏ କ’ଣ ନେଇଗଲା
ଆମେ ନେଇ ପାରିବାନି ବୋଲି
ଦୁଃଖରେ କରୁଛ ମନ ଊଣା
ଯେତିକି ପାଇଛୁ ସେତିକିରେ ଖୁସି ହେବା
କ’ଣ ଉଚିତ ନୁହେଁ କି
ଶାନ୍ତି ତୃପ୍ତି ନିଜକୁ ନିଜେ ନଦେଲେ
ଆଉ ଅବା କିଏ ଦେବ ଯେ
ଶୂନ୍ୟ ଆକାଶକୁ ବଲବଲ କରି ରହୁଛ ଚାହିଁ
ଆମ ଭିତରେ
ସେମିତି ତ କିଛି ବି ନାହିଁ
ଗୋଟିଏ ଡାଳରେ ତୁମେ ମୁଁ ବାନ୍ଧିଛୁ ବସା
କେତେ ବେଳେ ଜୀବନ ପକ୍ଷୀ
ଉଡ଼ି ଯିବ ଏ ବସା ଛାଡ଼ି
ସେ କଥା ତୁମକୁ ଜଣା ନା ମୋତେ
ଭବିଷ୍ୟତ କିଏ ଦେଖିଛି କି
ତେବେ ବୃଥା ଏ ମାନ ଅଭିମାନ
ଅହଂଭାବ ବଡ଼ିମା ଦମ୍ଭ
କେତେ ଦିନକୁ କାହା ପାଇଁ କାହା ପାଇଁ
ତୁମକୁ ମୁଁ ବିଶ୍ଵାସ କରେ
ତୁମେ ବି ମୋତେ ବିଶ୍ଵାସ କର
ବାସ୍… ସେତିକିରେ ପରମ ଚରମ ଆତ୍ମସନ୍ତୋଷ
ଆଉ ଅଧିକ କ’ଣ ଦରକାର ଯେ
ଏମିତି ହିଁ ଅବଶିଷ୍ଟ ଜୀବନ ରହିବା ଜୀଇଁ
ଆମ ଭିତରେ
ସେମିତି ତ କିଛି ବି ନାହିଁ……।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,               କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *