ସକାଳରୁ ସଞ୍ଜ
ସକାଳରୁ ସଞ୍ଜ
🖋️କବିରତ୍ନ ନୂତନ କୁମାର ବେହେରା
ସକାଳରୁ ସଞ୍ଜ ଯେତିକି ବ୍ୟବଧାନ
ସେ ତ ଗୋଟିଏ ଦିନ…
ଚାଲେ ଅନୁସନ୍ଧାନ ଆଉ ଅଭିଯାନ
ଜାଗ୍ରତରେ ସଚେତନ ରହିଥାଏ ମନ
ସଞ୍ଜରୁ ସକାଳ ଗୋଟିଏ ରାତି
ସୁସୁପ୍ତିରେ ଗଲେ ବିତି…
ସାମୟିକ ସ୍ଥିତିର ହୁଏ ଇତି
ବିଧିର ବିଧାନରେ ଚାଲେ ଏ ରୀତି
ପୁଣି ନୂଆ ଏକ ଦିନର ହୁଏ ଉତ୍ପତ୍ତି
ଆରମ୍ଭ ଓ ଶେଷ.. ଉତ୍ପତ୍ତି ଓ ସମାପ୍ତି
ଗୋଟିଏ ଚକ୍ରର କ୍ରମିକ ଘୂର୍ଣ୍ଣନ
ତଦ୍ରୂପ ସଂସାରରେ ଜୀବର ଜୀବନ
ଜନ୍ମ ମୃତ୍ୟୁର ଚକ୍ରରେ ବନ୍ଧା
ସକାଳରୁ ସନ୍ଧ୍ୟା ହୋଇ ରହିଛି ଛନ୍ଦା
ଦିନ ତମାମ ଶ୍ରମ… ଅବିରାମ
ରାତି ଯାକ ବିଶ୍ରାମ…
ଏକ କ୍ରମରେ ହେଉଥାଏ ଅତିକ୍ରମ
ଏ ଶୃଙ୍ଖଳର ଶୃଙ୍ଖଳା ହେଲେ ବ୍ୟତିକ୍ରମ
ଅନୁକୂଳ ହୁଏ ପ୍ରତିକୂଳ…
ସମସ୍ୟା ଉପୁଜି ହୁଏ ତା’ ଜଟିଳ
ତାର ସରଳ ସମାଧାନ ହିଁ ଉଦ୍ୟମ
ସହଜରେ ଲାଗେ ଅନୁପମ
ଅତି କଷ୍ଟକର ହେଲେ ହୁଏ ବିଷମ
ତାହା ହିଁ ନିୟତିର ନୀତି ନିୟମ
ସକାଳରୁ ସଞ୍ଜ କେବଳ ଏଇ ଚିନ୍ତା
ଉପାୟଟିଏ ଖୋଜାହୁଏ କରି ଅନୁଚିନ୍ତା
ମନ ଚାହେଁ ସୁଯୋଗଟିଏ ଆସନ୍ତା
ଇପ୍ସିତ ଆଶା ସଫଳ ହୁଅନ୍ତା
ଚେଷ୍ଟା ରଖିଥିଲେ ଜାରି…
କିଛି ଇଛା ପୂରି ତୃପ୍ତି ଦିଅଇ ଭରି
ସେ କ୍ରମଧାରାକୁ ଧରି ଚାଲିଲେ ଅନୁସରି
ଦୁଃଖ ଯାଏ ବଢ଼େ ସୁଖ ଶିରୀ…
ଯେତେ ଜଟିଳକୁ କରିବା ପାଇଁ ସହଜ
ପ୍ରକ୍ରିୟା ଚାଲେ ସକାଳରୁ ସଞ୍ଜ…।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
